ଚୀନକୁ ତାଇୱାନର ଚେତାବନୀ । ତାଇୱାନକୁ କବଜା କଲେ ପୂରା ଏସିଆର ହେବ ବିନାଶ ।

397

କନକ ବ୍ୟୁରୋ : ଚୀନ ଓ ତାଇୱାନ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଛି । ୧ ଅକ୍ଟୋବରରେ ଚୀନ୍ ନିଜର ରାଷ୍ଟ୍ରୀୟ ଦିବସ ପାଳନ କରୁଥିବା ବେଳେ ନିଜର ସୈନ୍ୟ ଶକ୍ତିର ପ୍ରଦର୍ଶନ କରିଛି । ଚୀନର ପିପୁଲ୍ସ ଲିବରେସନ ଆର୍ମି ତାଇୱାନର ବାୟୁସେନା କ୍ଷେତ୍ରରେ ୩୮ଟି ଲଢୁଆ ଯୁଦ୍ଧ ବିମାନ ଉଡାଇ ଦାଦାଗିରି ଦେଖାଇଛି । ଆଉ ଏହି ଘଟଣା ପରେ ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ବେନ୍ ଏକ ବଡ ବୟାନ ଦେଇଛନ୍ତି । ଚୀନକୁ ଚେତାବନୀ ଦେଇ ସାଇ କହିଛନ୍ତି, ଯଦି ତାଇୱାନକୁ ଚୀନ୍ କବଜା କରେ ତେବେ ପୂରା ଏସିଆରେ ସାଂଘାତିକ ଓ ବିନାଶକାରୀ ପରିସ୍ଥିତି ସୃଷ୍ଟି ହେବ । ତାଇୱାନ ସୈନ୍ୟ ଯୁଦ୍ଧ ବା ଲଢେଇ ଚାହାନ୍ତି ନାହିଁ କିନ୍ତୁ ନିଜକୁ ରକ୍ଷା କରିବାକୁ ଯାହା ବି କରିବାକୁ ପଡିବ ତାହା କରିବାକୁ ତାଇୱାନ କେବେ ବି ପଛଘୁଞ୍ଚା ଦେବନି ।

ସାଇ ଇଙ୍ଗଙ୍କ ଏଭଳି ବୟାନ ସେତେବେଳେ ଆସିଛି ଯେତେବେଳେ ତାଇୱାନ ଉପରେ ଚୀନ୍ ବାରମ୍ବାର ଚାପ ପକାଉଛି । ତାଇୱାନ ନିଜକୁ ଏକ ସ୍ୱ-ଶାସିତ ଲୋକତାନ୍ତ୍ରିକ ଦ୍ୱୀପ ଭାବେ ପରିଗଣିତ କରୁଥିବା ବେଳେ ତାଇୱାନକୁ ନିଜର ବୋଲି କହୁଛି ଚୀନ୍ । ଏହାପୂର୍ବରୁ ରାଷ୍ଟ୍ରପତି ସି ଜିନପିଙ୍ଗ କହିଥିଲେ ଯେ. ତାଇୱାନକୁ ଚୀନ୍ ନିଶ୍ଚିତ ରୂପେ କବଜା କରିବ । ଆଉ ଏହି ବୟାନ ପରେ ଚୀନ- ତାଇୱାନ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି ।

ଚୀନ ନିଜର ରାଷ୍ଟ୍ରୀୟ ଦିବସରେ ତାଇୱାନର ବାୟୁସୀମା ଭିତରେ ୩୮ଟି ଲଢୁଆ ଯୁଦ୍ଧ ବିମାନ ଉଡାଇଥିଲା । ଚୀନ୍ ପକ୍ଷରୁ ଏବେ ପର୍ଯ୍ୟନ୍ତ ଏହା ସବୁଠୁ ବଡ ସୀମାରେଖା ଅତିକ୍ରମଣ ହୋଇଥିବା ବେଳେ ଉତ୍ତେଜନା ଆହୁରି ବଢିଯାଇଛି । ୨୦୧୬ରେ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ପରେ ଚୀନ୍ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛି । କାରଣ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ସାଇ ଇଙ୍ଗ ତାଇୱାନକୁ ସ୍ୱତନ୍ତ୍ର ରାଷ୍ଟ୍ର କହୁଥିବା ବେଳେ ଏହା ଚୀନର ଅଂଶବିଶେଷ ନୁହେଁ ବୋଲି କହିଛନ୍ତି ।