କନକ ବ୍ୟୁରୋ : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ । ଜମି ପଟ୍ଟା ପାଇଁ ଲକ୍ଷେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ । ହନୁମନ୍ତପୁର ପଞ୍ଚାୟତର ପ୍ରାୟ ୩ ଶହ ଲୋକଙ୍କ ଜଙ୍ଗଲ ଜମି ପଟ୍ଟା କରିଦେବାକୁ ତହସିଲଦାର ଟଙ୍କା ମାଗିଥିଲେ । ଏହି ବିଷୟ ସେହି ପଞ୍ଚାୟତର କିଛି ଲୋକ ଜୟପୁର ଭିଜିଲାନ୍ସକୁ ଜଣାଇଥିଲେ । ଏହା ପରେ ତହସିଲଦାରଙ୍କୁ ଧରିବା ଲାଗି ଜୟପୁର ଭିଜିଲାନ୍ସ ଜାଲ ବିଛାଇଥିଲା ପଟ୍ଟା କରାଇଦେବାକୁ କହି ୩ ଶହ ଲୋକଙ୍କଠାରୁ ଲକ୍ଷେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଫେରୁଥିବାବେଳେ ଡାଙ୍ଗସାରଙ୍ଗ ଗାଁ ନିକଟରେ ତହସିଲଦାରଙ୍କୁ ଧରିଛି ପୁଲିସ । ତହସିଲଦାର ଗାଡିକୁ ନ ଅଟକାଇ ଟଙ୍କାକୁ ଗାଁ ନିକଟରେ ଫିଙ୍ଗିଦେଇ ଭିଜିଲାନ୍ସ ଅଧିକାରୀଙ୍କ ଉପରେ ଗାଡି ଚଢାଇବାକୁ ଉଦ୍ୟମ କରିଥିଲେ । ସେଠାରୁ ଟଙ୍କା ଉଠାଇ ତହସିଲଦାରଙ୍କୁ ପିଛା କରିଥିଲା ଭିଜିଲାନ୍ସ । ରାୟଗଡା ଜିଲ୍ଲାପାଳଙ୍କ ଅଫିସରେ ରେଭିନ୍ୟୁ ମିଟିଙ୍ଗରେ ଯୋଗଦେଇଥିଲେ ତହସିଲଦାର । ବୈଠକରେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ଶୌଚାଳୟ ଭିତରେ ପଶିଯାଇଥିଲେ ବିଚିତ୍ରାନନ୍ଦ ନାୟକ । ଆଉ ଶୌଚାଳୟରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।