ସରକାରଙ୍କ ନିୟମକୁ ବେଖାତିର କରି ୫ ଶହ ଲୋକଙ୍କ ପାଇଁ ଚାଲିଥିଲା ଦଶାହ ଭୋଜି ।  ଖବର ପାଇ ପହଂଚିଲେ ବାଲେଶ୍ୱର ସଦର ତହସିଲଦାର । ବାଧା ଦେବାରୁ ଆୟୋଜକଙ୍କ ପରିବାର କଲେ ଆକ୍ରମଣ ।

454

କନକ ବ୍ୟୁରୋ: କରୋନାର ସଂକ୍ରମଣ ରୋକିବାକୁ ସରକାର ବିବାହ ପାଇଁ ୫୦ ଜଣ ଓ ଅନ୍ତ୍ୟେଷ୍ଟି ପାଇଁ ୨୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ଦେଇଛନ୍ତି । ସେହିପରି ସଂକ୍ରମଣର ଚେନ ଭାଙ୍ଗିବାକୁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ହେଲେ ସରକାରଙ୍କ ନିୟମକୁ ବେଖାତିର କରି ପ୍ରାୟ ୫ଶହ ଲୋକଙ୍କ ପାଇଁ ଚାଲିଥିଲା ଦଶାହ ଭୋଜି ପାଇଁ ପ୍ରସ୍ତୁତି । ବାଲେଶ୍ୱର ଓଡଙ୍ଗି ପଂଚାୟତର ହିଞ୍ଜିଳି ଅଂଚଳରେ ଏକାଦଶାହ ଚାଲିଥିବାବେଳେ ପହଂଚିଥିଲେ ବାଲେଶ୍ୱର ତହସିଲଦାର । ଅନାମିକା ସିଂ ଘଟଣାସ୍ଥଳରେ ଚଢାଉ କରିଥିବାବେଳେ ଆୟୋଜକ ଓ ତାଙ୍କ ସମର୍ଥକ ଏଥିରେ ବାଧା ଦେଇଥିଲେ । ଏପରିକି ମହିଳା ତହସିଲଦାରଙ୍କୁ ଠେଲାପେଲା କରିବା ସହ ତାଙ୍କ ସାଙ୍ଗରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ପରେ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ତହସିଲଦାରଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।