ଜମି ଚାଲିଯିବାରୁ ତାତିଲେ ଗୃହରକ୍ଷୀ : କୋରାପୁଟ ନନ୍ଦପୁର ତହସିଲଦାରଙ୍କୁ ଛୁରି ମାରିଲେ ହୋମଗାର୍ଡ

41

କନକ ବ୍ୟୁରୋ : ତହସିଲଦାରଙ୍କୁ ଛୁରି ମାରିଲେ ହୋମଗାର୍ଡ । କୋରାପୁଟ ଜିଲ୍ଲା ନନ୍ଦପୁର ତହସିଲଦାରଙ୍କୁ ଛୁରାମାଡ କରିଛନ୍ତିି ଜଣେ ଗୃହରକ୍ଷୀ । ଫଳରେ ତହସିଲଦାରଙ୍କ ପେଟ ଓ ଛାତିରେ ଗଭୀର କ୍ଷତ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ନନ୍ଦପୁର ତହସିଲଦାର ସୁବ୍ରତ ପାଣିଗ୍ରାହୀ ଅଫିସ ଆଗରେ ଛିଡା ହୋଇଥିବାବେଳେ ପାଡୁଆ ଥାନାର ହୋମଗାର୍ଡ ଦମୁ ଖେମୁନୁ ତାଙ୍କ ଉପରେ ହଠାତ୍ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏକ ଜମି ବିବାଦକୁ କେନ୍ଦ୍ର କରି ହୋମଗାର୍ଡ ଜଣକ ଛୁରାମାଡ କରିଥିବା ପୁଲିସ୍ ଅନୁମାନ କରୁଛି । ରେଳବାଇର ଜମି କହି ୪ ଏକର ଯାଗା ଉପରେ ଘରକରି ରହିଆସୁଥିଲେ ଦମୁ ଓ ଅନ୍ୟକିଛି ବ୍ୟକ୍ତି । ଏହି ବିବାଦୀୟ ଜମିର ସ୍ୱତ୍ୱ ଅନ୍ୟଜଣେ ବ୍ୟକ୍ତିଙ୍କୁ ଦେବାସହ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସେହି ଆଧାରରେ ତହସିଲଦାର ଜମି ଖାଲି କରିଥିବାବେଳେ ଏଥିରେ ଉତକ୍ଷିପ୍ତ ହୋଇ ହୋମଗାର୍ଡ ଦମୁ ଖେମୁନୁ ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ପୋଲିସ କହିଛି । ଅଭିଯୁକ୍ତ ହୋମଗାର୍ଡଙ୍କୁ ଗିରଫ କରିବା ସହ ପୋଲିସ କୋର୍ଟ ଚାଲାଣ କରିଛି ।