ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ଜୋରଦାର ଆୟୋଜନ । ବଣ୍ଡାଘାଟିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ‘ଆମ ତହସିଲ ଆମ ଗାଁରେ’ କାର୍ଯ୍ୟକ୍ରମ ।

119

କନକ ବ୍ୟୁରୋ : ଦୁଲୁକୁଛି ବଣ୍ଡା ପାହାଡ । ଘାଟି ମଣିଷ ଲାଗି ବଣ୍ଡାଘାଟିକୁ ଆସିଛି ତହସିଲ । ସବୁ ସରକାରୀ କଳ ସହିତ ରାଜନେତାଙ୍କ ଭିଡ । ଏହେଉଛି ବଣ୍ଡା ମଣିଷଙ୍କୁ ଅଗ୍ରାଧିକାର ଯୋଗାଇ ଦେବାର ବେଳ । ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଆମ ତହସିଲ ଆମ ଗାଁ କାର୍ଯ୍ୟକ୍ରମ । ଘାଟି ଅଞ୍ଚଳର ୨ଶହ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେଇଛି ତହସିଲ ।

ବଣ୍ଡାଙ୍କ ନୃତ୍ୟୁରେ ଉଠୁଛି ପଡୁଛି ଘାଟି ଅଞ୍ଚଳ । ଜନ ସମୁଦ୍ର ଭିତରେ ପ୍ରଶାସନିକ ବାବୁ ଓ ନେତାଙ୍କୁ ପାଛୋଟି ନେଉଛନ୍ତି ଘାଟି ମଣିଷ । ଏହା କୌଣସି ପର୍ବ କି ଜାନିଯାତ୍ରାର ଦୃଶ୍ୟ ନୁହେଁ, ପ୍ରଶାସନିକ କଳକୁ ପାଖରେ ପାଇ ଏମିତି ଖୁସି ମନାଉଛି ବଣ୍ଡା ପାହାଡ । ଢୋଲ ମହୁରୀର ତାଳେ ତାଳେ ସରକାରୀ ବାବୁଙ୍କୁ ସ୍ୱାଗତ କରିଛନ୍ତି ଆଦିମ ଜନଜାତିର ଘାଟି ମଣିଷ ।

‘ଆମ ତହସିଲ ଆମ ଗାଁରେ’ । ବଣ୍ଡାଘାଟିକୁ ଆସିଛି ତହସିଲ । ଖୁସିରେ ମସଗୁଲ ବଣ୍ଡା ମଣିଷ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ଦେଖିବାକୁ ମିଳିଛି ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଥିବା ନିବିଡ ସମ୍ପର୍କର ରୋଚକ ଦୃଶ୍ୟ । ବଣ୍ଡାଘାଟିରୁ ଆରମ୍ଭ ହୋଇଛି ‘ଆମ ତହସିଲ ଆମ ଗାଁରେ’ କାର୍ଯ୍ୟକ୍ରମ । ଆଉ ଏଥିରେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନର ବାଟ ବାହାରିଛି । ୨ ଶହ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛି ଖଇରପୁଟ ତହସିଲ । ପ୍ରଥମ ପର୍ଯ୍ୟାୟରେ ଅଣ୍ଡ୍ରାହଲ ପଂଚାୟତର ସିନ୍ଧିଗୁଡା, ଗରଖପଡା ଗାଁ ଏବଂ ମୁଦୁଲିପଡା ପଞ୍ଚାୟତର ଦାନ୍ତିପଡା, ବଣ୍ଡାପଡା, ତୁସେଇପଡା, ଭାଲିଆପଦର ଗାଁର ଲୋକଙ୍କୁ ପଟ୍ଟା ଯୋଗାଇଛି ପ୍ରଶାସନ ।

ପ୍ରକୃତିକୁ ଭରସା କରି ସମୁଦ୍ର ପତନ ଠାରୁ ୭ ହଜାର ଫୁଟ ଉଚ୍ଚରେ ପାହାଡ ଉପରେ ବଞ୍ଚୁଥିବା ମଣିଷଙ୍କ ପାଇଁ ଜମି ଚିହ୍ନଟ କରି ପଟ୍ଟା ଦେଇଛି ଖଇରପୁଟ ତହସିଲ । ଆଉ ଗାଁରେ ତହସିଲ କାର୍ଯ୍ୟାଳୟ ଓ ସରକାରୀ ବାବୁଙ୍କ ପାଇଁ ଖୁସି ଜାହିର କରିଛନ୍ତି ଘାଟି ବାସିନ୍ଦା । ଏଇତ ଆରମ୍ଭ ଆଗକୁ ଆହୁରି ଅନେକ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବରଙ୍ଗପୁର ସାଂସଦ ରମେଶ ମାଝୀ । ଆଗାମୀ ଦିନରେ ବଣ୍ଡାଘାଟିରେ ଗାଁ ଗାଁ ବୁଲି ୭ ଶହ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ ।