କନକ ବ୍ୟୁରୋ : ଦିଲ୍ଲୀ କର୍ତବ୍ୟପଥରେ ଭାରତ ମାନ ସମ୍ମାନ, ଶକ୍ତି, ଶୌର୍ଯ୍ୟ ଓ ସଂସ୍କୃତିକୁ ଦେଖିଛି ସାରା ବିଶ୍ୱ । ଏପଟେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ ବୋଲି ଉକ୍ରଣ୍ଠାର ସହ ଅପେକ୍ଷା କରିଥିଲେ ଓଡ଼ିଶାବାସୀ । କାରଣ ୩ ବର୍ଷ ପରେ ଏପରି ଅବସର ମିଳିଥିଲା । ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଯେଉଁଥିରେ ଦେଖିବାକୁ ମିଳିଛି ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ମହିଳା ସଶକ୍ତିକରଣର ଝଲକ । ରଘୁରାଜପୁର ଐତିହ୍ୟ ଗ୍ରାମର ପଟ୍ଟଚିତ୍ରକୁ ନେଇ ମହିଳା ଶିଳ୍ପୀମାନେ କିଭଳି ନିଜକୁ ସ୍ୱାବଲମ୍ବୀ ଓ ସଶକ୍ତ କରିପାରିଛନ୍ତି, ତାହା ଥିଲା ପ୍ରଜ୍ଞାପନ ମେଢ଼ର ବାର୍ତା । ଏହା ସହ ସମ୍ବଲପୁରୀ ଗୀତର ତାଳେ ତାଳେ ପାରମ୍ପରିକ ନୃତ୍ୟ ସମସ୍ତଙ୍କ ମନ ମୋହି ନେଇଛି । ଜାତୀୟ ପରେଡ ଉତ୍ସବର ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମନକୁ ମଧ୍ୟ ଛୁଇଁ ଯାଇଥିଲା ।

ମେଢ଼ର ସମ୍ମୁଖ ଭାଗରେ ସୁସଜ୍ଜିତ କନ୍ଦର୍ପ ହାତୀ, ହାତୀ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ କଳାକୃତି ଏହାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଥିଲା । ହାତୀର ଦୁଇ ପାଶ୍ୱର୍ରେ ଲାଗିଥିବା ଚକ୍ର ବୁଲୁଥିବା ବେଳେ ମଝିରେ ଲାଗିଥିବା ଛତ୍ର ମଧ୍ୟ ବୁଲୁଥିବାର ଦୃଶ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ପ୍ରଜ୍ଞାପନ ମେଢ଼ର ଦୁଇ ପଟେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଆଗକୁ ବଢ଼ିଥିଲେ ମହିଳା ଶିଳ୍ପୀ ।

ରାଷ୍ଟ୍ରୀୟ ଉତ୍ସବରେ ଦୀର୍ଘ ୩ ବର୍ଷ ପରେ ଦିଲ୍ଲୀ କର୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଛି । ପ୍ରଖ୍ୟାତ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଇମାଜେରି ସଂସ୍ଥାର କୀର୍ତିକିଶୋର ମହାରଣାଙ୍କ ନେତୃତ୍ୱରେ ୨୬ ଜଣ କାରିଗର ପ୍ରଜ୍ଞାପନ ମେଢ଼କୁ ସୁନ୍ଦର ଭାବେ ପ୍ରସ୍ତୁତ କରିଥିଲେ ।