ତବଲା ପ୍ରେମରେ କୁନି ବାଳକ…ତବଲା ତାଳରେ ବନ୍ଧା ସ୍ୱୟଂସ୍ନାତଙ୍କ ଜୀବନ…କୁନି ହାତରେ କମାଲ ଦେଖାଇ ଏବେଠୁ ପାଲଟିଗଲେଣି ତବଲା ମାଷ୍ଟର

289

କନକ ବ୍ୟୁରୋ: ତବଲା ପ୍ରେମରେ କୁନି ବାଳକ । ତବଲା ତାଳରେ ବାନ୍ଧି ହୋଇଯାଇଛି କୁନିପୁଅର ଜୀବନ । ଆଉ ତାର ମନ ରହିଯାଇଛି ତବଲାର ସୁର, ତାଳ ଓ ଲୟରେ । ଆମେ କହୁଛୁ ଯାଜପୁର ଜିଲ୍ଳା ବାଲିଚନ୍ଦ୍ରପୁର ଅଂଚଳର କୁନି ତବଲା ବାଦକ ସ୍ୱୟଂସ୍ନାତଙ୍କ କଥା ।

ଏ ହେଉଛନ୍ତି ସ୍ୱୟଂସ୍ନାତ ପାତ୍ର । ବୟସ ମାତ୍ର ୮ବର୍ଷ । ଆଉ ଖେଳିବା ବୁଲିବା ବୟସରେ ସେ ବଜାଉଛନ୍ତି ତବଲା । ତେବେ ତାଙ୍କ କୁନି ହାତର କମାଲ ଆପଣ ନିଜେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ମାତ୍ର ତୃତୀୟ ଶ୍ରେଣୀର ଛାତ୍ର ସ୍ୱୟଂ ଏବେ ଚଣ୍ଡିଖୋଲ ଡିୟୁ ପବ୍ଲିକ ସ୍କୁଲରେ ପାଠ ପଢୁଛନ୍ତି । ସ୍ୱୟଂଙ୍କ ବାପା ଜଣେ ପୋଲିସ ଅଧିକାରୀଭାବେ ବାଲିଚନ୍ଦ୍ରପୁର ଥାନାରେ କାର୍ଯ୍ୟରତ ଓ ମାଆ ଜଣେ ଗୃହିଣୀ । ପିଲାଦିନୁ ସ୍ୱୟଂ ବାଜା ବଜାଇବା ପ୍ରତି ଆଗ୍ରହ ପ୍ରକାଶ କରିବା ସହ ଯେଉଁଠି ନାହିଁ ସେଠି ବାଜା ବଜାଉଥିଲେ । ମାତ୍ର ୩ବର୍ଷ ବୟସରୁ ସ୍ୱୟଂ ଢୋଲକି ବଜାଇ ନିଜର ଆଗ୍ରହ ଦେଖାଇବାରୁ ପରିବାର ପକ୍ଷରୁ ତାଙ୍କୁ ପ୍ରଶିକ୍ଷଣର ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଏବେ ସେ ପାଲଟିଛନ୍ତି ତବଲା ମାଷ୍ଟର ।

ପିଲାଦିନୁ ତବଲା ବଜାଇବା ପ୍ରତି ଆଗ୍ରହ ରଖିଥିବା ସ୍ୱୟଂସ୍ନାତ ତବଲା ପାଠ୍ୟକ୍ରମ ଅନୁଯାୟୀ ସେ ବର୍ତମାନ ତବଲାରେ ଗ୍ରାଜୁଏସନ ପଢୁଛନ୍ତି । ମାତ୍ର ବୟସ ହୋଇନଥିବାରୁ ସେ ପରୀକ୍ଷା ଦେଇପାରିନାହାନ୍ତି । ଡୁବି ଓ ତବଲା ଉପରେ ଅତି ଚମକ୍ରାର ଢଙ୍ଗରେ ଆଙ୍ଗୁଠି ଚାଳନା କରି ସମସ୍ତଙ୍କୁ ଚମକାଇଦେଉଥିବା ଏହି କୁନିବାଦକ ବିଭିନ୍ନ ସମୟରେ ଓଡିଶାର ଆଗଧାଡିର କଣ୍ଠଶିଳ୍ପୀମାନଙ୍କ ସହ ଷ୍ଟେଜ ସୋ’ କରି ନିଜ ପାଇଁ ଲୋକପ୍ରିୟତା ସାଉଁଟିବା ସହ ବିଭିନ୍ନ ଏ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ମାନିତ ହୋଇ ବାପାମାଆଙ୍କ ପାଇଁ ଗୌରବ ଆଣିଛନ୍ତି । ତେବେ ଏକ ନିପଟ ମଫସଲ ଗାଁର ଏହି କୁନି ତବଲା ବାଦକ ଯେ ଦିନେ ଜଣେ ପ୍ରତିଷ୍ଠିତ ତବଲା ବାଦକ ନହେବ ତାହା କିଏ ନକହିପାରିବ ।