ତମାଖୁ ସେବନରେ ଜାତୀୟ ହାରଠାରୁ ୧୧ ପ୍ରତିଶତ ଆଗରେ ଓଡିଶା ! ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ଉଦବେଗଜନକ ତଥ୍ୟ

94

କନକ ବ୍ୟୁରୋ : ଆମ ରାଜ୍ୟରେ ୫୫.୯% ପୁରୁଷ ତମାଖୁ ସେବନ କରୁଛନ୍ତି । ଜାତୀୟ ସ୍ତରରେ ଏହି ହାର ରହିଛି ୪୪.୫ ପ୍ରତିଶତ । ଅର୍ଥାତ୍ ଜାତୀୟ ହାରଠାରୁ ପ୍ରାୟ ୧୧ ପ୍ରତିଶତ ଅଧିକ ପୁରୁଷ ତମାଖୁ ସେବନ କରୁଛନ୍ତି । ଓଡ଼ିଶାର ୧୭.୩% ମହିଳା ତମାଖୁ ସେବନ କରୁଛନ୍ତି, ଯେତେବେଳେ କି ଜାତୀୟ ହାର ରହିଛି ୬.୮ ପ୍ରତିଶତ । ଏ କ୍ଷେତ୍ରରେ ମଧ୍ୟ ଅଧିକ ପ୍ରାୟ ୧୧ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି । ଏଭଳି କିଛି ଉଦବେଗଜନକ ତଥ୍ୟ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ରୁ ମିଳିଛି ।

ଓଡ଼ିଶାର ପୁରୁଷ ଓ ମହିଳାମାନେ ପାନ, ଗୁଟଖା, ଖଇନି, ଗୁଣ୍ଡି, ବିଡି, ସିଗାରେଟ୍, ପିକା ଭଳି ବିଭିନ୍ନ ତମାଖୁ ମିଶ୍ରିତ ଦ୍ରବ୍ୟକୁ ସେବନ କରିବା ଓ କର୍କଟ ରୋଗକୁ ନିମନ୍ତ୍ରଣ କରୁଥିବା ଦେଖାଯାଉଛି । ଗତ ବର୍ଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟ ୩୦ ହଜାର ପରିବାରକୁ ନମୁନା ଭାବେ ନେଇ ଏହି ସର୍ଭେ କରାଯାଇଥିଲା । ଦେଶରେ ବର୍ଷକୁ ପ୍ରାୟ ୧୧ ଲକ୍ଷ ଲୋକ କର୍କଟ ରୋଗର ଶିକାର ହେଉଥିବା ବେଳେ ତା’ର ଏକ-ତୃତୀୟାଂଶ ହେଉଛନ୍ତି ମୁଖଗହ୍ୱର କର୍କଟ ରୋଗୀ । ବର୍ଷକୁ ଓଡ଼ିଶାରୁ ପ୍ରାୟ ୬୦-୭୦ ହଜାର ଲୋକ କର୍କଟ ରୋଗର ଶିକାର ହେଉଛନ୍ତି ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ ଓଡ଼ିଶାର ୪୦ ପ୍ରତିଶତରୁ ଅଧିକ ଲୋକ ମଦ୍ୟପାନ କରୁଛନ୍ତି । ସେହଭଳି ୭୩ ପ୍ରତିଶତ ଲୋକ ତମାଖୁ ସେବନ କରୁଛନ୍ତି ।