କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତର ଦମଦାର ବିଜୟ । ବୁଧବାର ‘କର ବା ମର’ ମ୍ୟାଚରେ ବାଂଲାଦେଶକୁ ୫ ରନରେ ହରାଇଛି ଟିମ୍ ଇଣ୍ଡିଆ । ବିଜୟ ସହ ସେମିଫାଇନାଲର ନିକଟତର ହୋଇଛି ଭାରତ । ଆଡିଲେଡରେ ଖେଳାଯାଇଥିବା ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ କରିଥିଲା ୧୮୪ ରନ୍ । ବିରାଟ କୋହଲି ୪୪ ବଲରେ ଅପରାଜିତ ୬୪ ରନ୍ କରିଛନ୍ତି ।

Advertisment

ଆଉଟ୍ ଅଫ୍ ଫର୍ମ ଥିବା ଲୋକେଶ ରାହୁଲ ଫର୍ମକୁ ଫେରିବା ସହ ୩୨ ବଲରେ କରିଛନ୍ତି ୫୦ ରନ୍ । ସୂର୍ଯ୍ୟକୁମାର ଯାଦବ ୩୦ ଓ ଆର୍ ଅଶ୍ୱିନ୍ ୧୩ ରନ୍ କରି ଅପରାଜିତ ଥିଲେ । ବାଂଲାଦେଶ ପକ୍ଷରୁ ହାସନ୍ ମେହମୁଦ ୩ଟି ଓ ଅଧିନାୟକ ସାକିବ ଅଲ୍ ହାସନ୍ ୨ଟି ସଫଳତା ପାଇଥିଲେ । ୧୮୫ ରନ୍ ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଜବରଦସ୍ତ ଆରମ୍ଭ କରିଥିଲା । ୭ ଓଭରରେ ଟିମର ସ୍କୋର ବିନା ୱିକେଟରେ ଥିଲା ୬୬ ରନ୍ । ବର୍ଷା ଯୋଗୁଁ ମ୍ୟାଚ୍ କିଛି ସମୟ ବାଧାପ୍ରାପ୍ତ ହୋଇଥିଲା ।

ପରେ ବାଂଲାଦେଶ ଆଗରେ ଡିଏଲ୍ ପଦ୍ଧତିରେ ୧୬ ଓଭରରେ ୧୫୧ ରନ୍ ଧାର୍ଯ୍ୟ କରାଯାଇଥିଲା । ହେଲେ ଟିମ୍ ବିଜୟରୁ ୫ ରନ୍ ପଛରେ ରହିଯାଇଥିଲା । ଲିଟନ୍ ଦାସ ୨୭ ବଲରେ ସର୍ବାଧିକ ୬୦ ରନ୍ କରିଥିଲେ । ଭାରତ ପାଇଁ ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏ ୱିକେଟ୍ ନେଇଥିଲେ । ବିଜୟ ସହ ଭାରତ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଛି । ସେପଟେ ଭାରତର ବିଜୟ ଦ୍ୱାରା ପାକିସ୍ତାନର ଆଶା ମଧ୍ୟ କ୍ଷୀଣ ହୋଇଛି ।