ଆଜିଠୁ ଟି-୨୦ ବିଶ୍ୱକପର ଲିଗ୍ ପର୍ଯ୍ୟାୟ : ପ୍ରଥମ ଦିନରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍‌

249

କନକ ବ୍ୟୁରୋ : ଆଜି ଠାରୁ ଟି-୨୦ ବିଶ୍ୱକପର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେଉଛି । ସଜେଇ ହେଉଛି ଦୁବାଇ । ପ୍ରଥମ ଦିନରେ ଦୁଇଟି ପ୍ରମୁଖ ମୁକାବିଲା ଦେଖିବାକୁ ମିଳିବ। ଅପରାହ୍ଣ ୩.୩୦ରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଏବଂ ରାତି ୭.୩୦ରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌ ଧାର୍ଯ୍ୟ ରହିଛି । ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦୁଇ ଅସଫଳ ଦଳ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଆବୁଧାବିରେ ମୁହାଁମୁହିଁ ହେବେ । ପୂର୍ବ ସଂସ୍କରଣକୁ ଭୁଲି ନୂଆ ଆଶା ନେଇ ନୂଆ ଆରମ୍ଭ କରିବେ ବୋଲି ଆଶା ରଖିଛନ୍ତି । ଆଇସିସି ମାନ୍ୟତା ଦୃଷ୍ଟିରୁ ଅଷ୍ଟ୍ରେଲିଆ ନୁହେଁ ଦକ୍ଷିଣ ଆଫ୍ରିକାକୁ ଦାବିଦାର ଦଳ କୁହାଯାଇପାରିବ। ବିଗତ ୧୦ ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ଦକ୍ଷିଣ ଆଫ୍ରିକା ୯ଟି ଜିତିଛି। ଅଷ୍ଟ୍ରେଲିଆ କିନ୍ତୁ ନିଜର ବିଗତ ୧୦ ମ୍ୟାଚ୍‌ରୁ ୮ ହାରିବା ସହ ଶେଷ ୪ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ହାରି ବିଶ୍ବକପ୍ ଆସିଛି। ୱା‌ର୍ମ ଅପ୍‌ ମ୍ୟାଚ୍‌‌ରେ ଦକ୍ଷିଣ ଆଫ୍ରିକା ଉଭୟ ଆଫଗାନିସ୍ତାନ ଓ ପାକିସ୍ତାନକୁ ପରାସ୍ତ କରିଥିଲା।

ଅଷ୍ଟ୍ରେଲିଆ କିନ୍ତୁ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଭାରତ ନିକଟରୁ ଏକତରଫା ଭାବେ ହାରିଯାଇଥିଲା । ମୁହାଁମୁହିଁ ମୁକାବିଲାରେ କିନ୍ତୁ ୨୦୨୦ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ ଶୃଙ୍ଖଳା ଜିତିଥିଲା । ତେବେ ସେତେବେ‌ଳେ ପ୍ରାରମ୍ଭିକ ଯୋଡ଼ି ଆରୋନ୍ ଫିଞ୍ଚ୍‌ ଓ ‌ଡେଭିଡ୍ ୱାର୍ଣ୍ଣରଙ୍କ ପ୍ରଧାନ୍ୟ କାରଣରୁ ଅଷ୍ଟ୍ରେଲିଆ ସଫଳ ହୋଇଥିଲା । ଏବେ ଏହି ଯୋଡ଼ି ରନ୍‌ ପାଇଁ ସଂଘର୍ଷ କରୁଛନ୍ତି । ଶନିବାରର ଏହି ମୁକାକିଲାରେ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଏକ ନମ୍ବର ବୋଲର ତାବ୍ରାଇଜ୍ ସାମସୀଙ୍କୁ ଖେଳିବା ଅଷ୍ଟ୍ରେଲୀୟଙ୍କ ପାଇଁ ପରୀକ୍ଷା ହେବ । ସେହ‌ିଭଳି ଅଷ୍ଟ୍ରେଲୀୟ ଦ୍ରୁତ ବୋଲରଙ୍କୁ ‌ଖେଳିବା ନିଶ୍ଚିତ ଦକ୍ଷିଣ ଆଫ୍ରିକୀୟଙ୍କ ପାଇଁ ଆହ୍ବାନ ଆଣିବ ।

ଡେଭିଡ୍‌ ୱାର୍ଣ୍ଣର ଖରାପ ଆଇପିଏଲ୍‌ ପ୍ରଦର୍ଶନ ସହ ଯଥାକ୍ରମେ ୦, ୨, ୦, ୧ ରନ୍‌ କରିଛନ୍ତି। ନିଜ ଟ୍ବେଣ୍ଟି-୨୦ ଜୀବନ ତୁଳନାରେ ସେ ବିଶ୍ବକପ୍‌ରେ ପ୍ରଦର୍ଶନ କରିପାରିନାହାନ୍ତି। ସେ ନିଶ୍ଚିତ ଚାପରେ ରହିବେ। ଅଧିନାୟକ ଆରୋନ୍‌ ଫିଞ୍ଚ୍ କହିଛନ୍ତି ଅଷ୍ଟ୍ରେଲିଆ ୭ ଜଣ ବ୍ୟାଟର୍‌ ଓ ୪ ଜଣ ବୋଲରଙ୍କୁ ନେଇ ପ୍ରଥମ ମ୍ୟାଚ୍‌ ଖେଳିବ । ମ୍ୟାକ୍ସୱେଲ, ମାର୍ସ, ‌ଷ୍ଟୋଇନିସ୍‌ ଅବଶିଷ୍ଟ ଓଭର ବୋଲିଂ କରିବେ। ଏହାର ଅର୍ଥ ପ୍ୟାଟ୍ କମିନ୍ସ, ଜୋସ୍ ହାଜେଲଉଡ୍‌, କେନ୍‌ ରିଚାର୍ଡସନଙ୍କ ମଧ୍ୟରୁ ଦୁଇ ଜଣ ଖେଳିବେ।

ଉଭୟ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ୫୦ ଓଭରିଆ ବିଶ୍ବକପ୍‌ରେ ପରସ୍ପରକୁ ବହୁବାର ଭେଟିଛନ୍ତି । କିନ୍ତୁ ଟ୍ବେଣ୍ଟି-୨୦ ଫର୍ମାଟରେ ୨୦୧୨ରେ ଥରେ ମାତ୍ର ମୁହାଁମୁହିଁ ହୋଇଛନ୍ତି । ସେଥର ଅଷ୍ଟ୍ରେଲିଆ ସହଜରେ ଜିତିଥିଲା । ମ୍ୟାକ୍ସୱେଲଙ୍କୁ ରବାଦା ସମସ୍ତ ପ୍ରକାର ଟ୍ବେଣ୍ଟି-୨୦ରେ ୨୭ ବଲରେ ୩ ଥର ଆଉଟ୍‌ କରିଥିବାରୁ ଶନିବାର ଏହି ଦୁହିଁଙ୍କ ମୁକାବିଲା କିଭଳି ରହିବ ଦେଖିବାର ଅଛି ।