ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ସାହିଦ୍ ଆଫ୍ରିଦିଙ୍କ ବଡ ବୟାନ । କହିଲେ, ମ୍ୟାଚରେ ଟିମ୍ ଇଣ୍ଡିଆର ପଲ୍ଲା ରହିବ ଭାରି ।

203

କନକ ବ୍ୟୁରୋ: ଆଜି ସନ୍ଧ୍ୟାରେ କ୍ରିକେଟ୍ ପଡିଆରେ ମୁହାଁମୁହିଁ ହେବେ ଭାରତ-ପାକ୍ । ଯାହାକୁ ନେଇ ଏବେ କ୍ରିକେଟ ଜଗତରେ ଜୋରଦାର ଚର୍ଚ୍ଚା ଚାଲିଛି । କିଏ ଏହି ମ୍ୟାଚ୍ ଜିତିବ? ମ୍ୟାଚରେ କାହାର ପଲ୍ଲା କେତେ ଭାରି ରହିବ ତାକୁ ନେଇ ଏବେଠୁ ଆରମ୍ଭ ହୋଇଛି ଆକଳନ । ଆଉ ଏହାରି ଭିତରେ ଟିମ୍ ଇଣ୍ଡିଆକୁ ନେଇ ଏକ ବଡ ବୟାନ ଦେଇଛନ୍ତି ପାକିସ୍ତାନୀ ଖେଳାଳି ସାହିଦ୍ ଆଫ୍ରିଦି ।

ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଆଫ୍ରିଦି କହିଛନ୍ତି, ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ରହିବ । ଏହି ଜିତିବାକୁ ଟିମ୍ ଇଣ୍ଡିଆ ପ୍ରବଳ ଦାବିଦାର ରହିବ । ଗତ ୧୦-୧୫ ବର୍ଷ ହେଲା ଟିମ୍ ଇଣ୍ଡିଆ ଭଲ ଖେଳି ଆସୁଛି । ଖେଳାଳିମାନଙ୍କର ମାଇଣ୍ଡସେଟ୍ ଓ ଶରୀର ମଧ୍ୟ ଫିଟ୍ ରହିଛି । ତେଣୁ ଭାରତ-ପାକ୍ ମ୍ୟାଚରେ ଟିମ୍ ଇଣ୍ଡିଆ ଏକପ୍ରକାରର ମ୍ୟାଚ୍ ଜିତିବ ବୋଲି ସଙ୍କେତ ଦେଇଛନ୍ତି ଏହି ପାକ୍ ଖେଳାଳି ।

ଅନ୍ୟପଟେ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ନିଜର ୧୦୦ ପ୍ରତିଶତ ଦେବାକୁ ପଡିବ । ବିନା ଚିନ୍ତାରେ ଖେଳିଲେ ହିଁ ଦଳ ଭାରତ ବିପକ୍ଷରେ ମ୍ୟାଚ୍ ଜିତିପାରିବ ବୋଲି ସେ କହିଛନ୍ତି । ତେବେ ଖେଳକୁ ଖୁସିର ସହକାରେ ଖେଳିଲେ ପାକିସ୍ତାନୀ ଖେଳାଳିମାନେ ମ୍ୟାଚ୍ ବିଜୟୀ ହୋଇପାରିବେ ବୋଲି ଆଫ୍ରିଦି କହିଛନ୍ତି । ସୂଚନାଯୋଗ୍ୟରେ, ବିଶ୍ୱକପରେ ଭାରତଠାରୁ ପାକିସ୍ତାନ ସମସ୍ତ ମ୍ୟାଚରେ ପରାଜୟ ବରଣ କରିଛି । ପାକିସ୍ତାନ, ଭାରତଠାରୁ ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ଜିତିପାରିନି । ତେଣୁ ଆଜିର ମ୍ୟାଚରେ କିଏ ଜିତିବ ତାକୁ ନେଇ ଏବେ କ୍ରିକେଟ୍ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି ।