କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଆଷ୍ଟ୍ରେଲିଆ । ରୋମାଂଚକର ସେମିଫାଇନାଲ ମୁକାବିଲାରେ ପାକିସ୍ତାନକୁ ୫ ୱିକେଟରେ ମାତ ଦେଇଛି କଙ୍ଗାରୁ ଦଳ । ୧୭୭ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୯୬ ରନ୍ରେ ଅଧାଦଳ ହରାଇବା ସତ୍ତ୍ବେ ମାର୍କସ ଷ୍ଟୋଇନିସ୍ ଓ ମାଥ୍ୟୁ ୱେଦ୍ଙ୍କ ଅସାଧାରଣ ଭାଗୀଦାରି ବଳରେ ପାକିସ୍ତାନକୁ ଅଷ୍ଟ୍ରେଲିଆ ବିଦାୟର ପଥ ଦେଖାଇ ଦେଇଛି ।
ବିଶେଷ କରି ବ୍ୟାଟ୍ସମ୍ୟାନ୍ଙ୍କ ଦୁଃସ୍ବପ୍ନ ପାଲଟିଥିବା ପାକିସ୍ତାନୀ ଦ୍ରୁତ ବୋଲର ସାହିନ ସାହ ଆଫ୍ରିଦିଙ୍କୁ ହ୍ୟାଟ୍ରିକ୍ ଛକା ମାରି ୱେଦ୍ ୬ ବଲ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଫାଇନାଲ୍ ଟିକେଟ ଉପହାର ଦେବା ଗୁରୁବାର ସେମିଫାଇନାଲର ପ୍ରମୁଖ ଆକର୍ଷଣ ଥିଲା । ୨୦୧୦ ପରେ ଅଷ୍ଟ୍ରେଲିଆର ଏହା ଦ୍ବିତୀୟ ଥର ଫାଇନାଲ୍ ପ୍ରବେଶ । ରବିବାର ଖେଳାଯିବାକୁ ଥିବା ଫାଇନାଲ୍ରେ ଅଷ୍ଟ୍ରେଲିଆ ପଡ଼ୋଶୀ ନ୍ୟୁଜିଲାଣ୍ଡକୁ ଭେଟିବ । ପାକିସ୍ତାନ ବିଦା ହେବା ପରେ କିନ୍ତୁ ଚଳିତ ବିଶ୍ବକପ୍ରେ ଏସୀୟ ଦାବିଦାରି ସମାପ୍ତ ହୋଇଯାଇଛି । ୱେଦ୍ ଆଶାଜନକ ଭାବେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।
ବଡ଼ ବିଜୟ ଲକ୍ଷ୍ୟ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆର ପଶ୍ଚାତଧାବନ ପ୍ରଥମ ଓଭରରେ ଦିଗ ହରାଇ ବସିଥିଲା। ତୃତୀୟ ବଲ୍ରେ ହିଁ ଦୁର୍ଦ୍ଧର୍ଷ ପାକିସ୍ତାନୀ ଯୁବ ବାମହାତୀ ଦ୍ରୁତ ବୋଲର ସାହିନ ସାହ ଆଫ୍ରିଦି ଏକ ଶାଣିତ ୟର୍କରରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଏହା ପରେ ମିଚେଲ ମାର୍ସ (୨୮) ଓ ଡେଭିଡ୍ ୱାର୍ଣ୍ଣର (୪୯) ଦ୍ବିତୀୟ ୱିକେଟ୍ରେ ୫୧ ରନ୍ ଯୋଡ଼ି ସ୍ଥିତି ସୁଧାରି ଥିଲେ। ହେଲେ ଷ୍ଟିଭେନ୍ ସ୍ମିଥ୍ (୫) ବିଫଳ ହେବା ଏବଂ ଅର୍ଦ୍ଧଶତକର ଗୋଟିଏ ରନ୍ ପୂର୍ବରୁ ୱାର୍ଣ୍ଣର ବିତର୍କିତ ଢଙ୍ଗରେ ଆଉଟ୍ ହେବା ପରେ ପାକିସ୍ତାନ ମ୍ୟାଚ୍କୁ ଫେରିଥିଲା। ସଦାବ ଖାନଙ୍କ ବଲ୍ ବ୍ୟାଟ୍ରେ ବାଜି ନଥିଲେ ମଧ୍ୟ ଅମ୍ପାୟାର ୱାର୍ଣ୍ଣରଙ୍କୁ ଆଉଟ୍ ଘୋଷଣା କରିଥିଲେ ।
ତେବେ ଆଶ୍ଚର୍ଯ୍ୟଜନକ ଭାବେ ୱାର୍ଣ୍ଣର ଏହାର ରିଭ୍ୟୁ ନକରି କ୍ରିଜ୍ ଛାଡ଼ି ଦେଇଥିଲେ । ଆଉ ଏହା ହିଁ ମ୍ୟାଚ୍ର ଟର୍ଣ୍ଣିଂ ପଏଣ୍ଟ ହେବାର ଆଶଙ୍କା ବଢ଼ି ଯାଇଥିଲା । ପୁଣି ଗ୍ଲେନ୍ ମ୍ୟାକ୍ସୱେଲ୍ (୭) ନିରାଶ କରିବା ପରେ ଅଷ୍ଟ୍ରେଲିଆ ପରାଜୟ ଆଶଙ୍କା ଅଧିକ ଘନିଭୂତ ହୋଇଥିଲା । ହେଲେ ମାର୍କସ ଷ୍ଟୋଇନିସ୍ (୪୦*) ଓ ମାଥ୍ୟୁ ୱାଦେ (୪୧) ଅବିଭାଜିତ ଷଷ୍ଠ ୱିକେଟ୍ରେ ୮୧ ରନ୍ ଯୋଡ଼ି ଅଷ୍ଟ୍ରେଲିଆକୁ ଫାଇନାଲ୍ରେ ପହଞ୍ଚାଇ ଦେଇଥିଲେ । ଶେଷ ୨ ଓଭରରୁ ୨୨ ରନ୍ର ଦରକାର ଥିଲା ବେଳେ ସାହିନ ସାହ ଆଫ୍ରିଦିଙ୍କୁ ହ୍ୟାଟ୍ରିକ୍ ଛକା ମାରି ଗୋଟିଏ ଓଭର ପୂର୍ବରୁ ଅଷ୍ଟ୍ରେଲିଆର ଉତ୍କଣ୍ଠାପୂର୍ଣ୍ଣ ବିଜୟରେ ୱେଦ୍ ମୁଣ୍ଡି ମାରିଥିଲେ ।