ଦୀର୍ଘ ବର୍ଷର ପ୍ରତୀକ୍ଷାର ହେଲା ଅବସାନ । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପରେ ପୁଣିଥରେ ଚମ୍ପିୟାନ ହେଲା ଭାରତ । ରୋମାଞ୍ଚ ଭରା ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ କଲା ପରାସ୍ତ  ।

203

କନକ ବ୍ୟୁରୋ: ୧୭ ବର୍ଷ ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ପୁଣିଥରେ ଟି-୨୦ ବିଶ୍ୱକପ୍ ଚମ୍ପିୟାନ ହୋଇଛି ଭାରତ । ଶନିବାର ବାର୍ବାଡୋସ ବ୍ରିଜଟାଉନରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ରୋମାଞ୍ଚକର ବିଜୟ ହାସଲ କରିଛି । ୨୦୦୭ ପରେରେ ଦ୍ୱିତୀୟ ଟି-୨୦ ବିଶ୍ୱକପ୍ ଏବଂ ୨୦୧୨ ପରେ ଅନ୍ତର୍ଜାତୀୟ ଫର୍ମାଟରେ ଆଇସିସି ଟ୍ରଫି ହାତେଇବାରେ ଭାରତ ସକ୍ଷମ ହୋଇଛି । ଲଗାତାର ୨୦୧୪ଠାରୁ ଆରମ୍ଭ କରି ୨୦୧୪ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପର ଅତି ନିକଟରୁ ପରାସ୍ତ ହେଉଥିବା ବେଳେ ୨୦୨୪ ବିଶ୍ୱକପରେ କିନ୍ତୁ ବାଜି ମାରି ନୂଆ ଇତିହାସ ଲେଖିଛି ରୋହିତ ବାହିନୀ ।

ବିରାଟ କୋହଲି ଏବଂ ଅକ୍ଷର ପଟେଲଙ୍କ ଲଢୁଆ ଇନିଂସ ସାଙ୍ଗକୁ ଭାରତୀୟ ପେସ ବାହିନୀର ଦମଦାର ପ୍ରଦର୍ଶନ ବଳରେ ଭାରତ ବିଶ୍ୱବିଜୟୀ ହୋଇଛି । ଶେଷ ୩୦ ବଳରେ ଦକ୍ଷିଣ ଆଫ୍ରିକାକୁ ୩୦ ରନର ଆବଶ୍ୟକତା ପଡୁଥିବା ବେଳେ ମ୍ୟାଚର ଅନ୍ତିମ ପର୍ଯ୍ୟାୟରେ ଭାରତୀୟ ପେସ୍ ବାହିନୀ ନିଜର କମାଲ ଦେଖାଇଛି । ଫାଇନାଲରେ ଅର୍ଶଦୀପ ସିଂ ୪ ଓଭରରେ ୨୦ ରନ୍ ଦେଇ ୨ୱିକେଟ, ବୁମରାହ ୪ଓଭରରେ ୧୮ ରନ୍ ଦେଇ ୨ଟି ୱିକେଟ ହାସଲ କରିଥିଲେ । ସେହିପରି ଶେଷ ଆଡକୁ ବାଉଣ୍ଡରିରେ ସୂର୍ଯ୍ୟକୁମାର ଯାଦବଙ୍କ ଆର୍କଷଣୀୟ କ୍ୟାଚ ମ୍ୟାଚର ମୋଡ ବଦଳାଇଦେଇଥିବା କୁହାଯାଉଛି । ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୭୬ ରନର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୮ୱିକେଟ ହରାଇ ୧୬୯ ରନରେ ଅଟକି ଯାଇଛି । ଗୋଟିଏ ବର୍ଷ ମଧ୍ୟରେ ରୋହିତ ବାହିନୀ ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ନିରାଶ ହୋଇଥିବା ବେଳେ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ବଡ଼ ଭେଟି ଦେଇଛନ୍ତି । ୭୬ ରନର ଦମଦାର ପାରି ଖେଳିଥିବା ବିରାଟ କୋହଲି ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ଯଶପ୍ରୀତ ବୁମରାହଙ୍କୁ ପ୍ରଭାବୀ ବୋଲିଂ ପାଇଁ ମ୍ୟାନ ଅଫ୍ ଦ ସିରିଜ୍ ଘୋଷଣା କରାଯାଇଛି ।