ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବଙ୍କୁ ମାଗଣାରେ ମିଳିବ ରାସନ । ପ୍ରେସମିଟ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

399

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧିକୁ ବୃଦ୍ଧି କଲେ କେନ୍ଦ୍ର ସରକାର । ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣାରେ ମିଳିବ ରାସନ ସାମଗ୍ରୀ । ଏନେଇ ଆଜି କ୍ୟାବିନେଟ୍ ମଞ୍ଜୁରୀ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ କରୋନା କାରଣରୁ କେନ୍ଦ୍ର ସରକାର ନଭେମ୍ବର ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଦେଇଆସୁଥିଲେ । ଏବେ ଏହାକୁ ଆଉ ୪ ମାସ ପାଇଁ ବୃଦ୍ଧି କରାଯାଇଛି । ଅନ୍ୟପଟେ ଆଜି ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହେବ । କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରେସମିଟ୍ କରି ଗଣମାଧ୍ୟମକୁ ତମାମ ସୂଚନା ଦେଇଛନ୍ତି ।

ଦୁୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମହାମାରୀ ସମୟରେ ସରକାର ଆଉ ଆଠ ମାସ ପାଇଁ ଗରିବ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ଯୋଗାଇ ଦେବାକୁ ସେ ଅନୁରୋଧ କରିଥିଲେ । ଚଳିତବର୍ଷ ମେ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା । ଯାହାକି ନଭେମ୍ବର ମାସରେ ଶେଷ ହେବାକୁ ଥିଲା । ହେଲେ ଏହା ପରେ ମଧ୍ୟ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇଦେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ କ୍ୟାବିନେଟରେ ଏହାକୁ ମଞ୍ଜୁରୀ ମିଳିବା ସହିତ ଆଉ ୪ ମାସ ପାଇଁ ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରାଯାଇଛି ।