ଆକାଶରେ ଅଚଳ ହୋଇଗଲା ବିମାନ: ବର୍ତ୍ତିଗଲେ ଏୟାର ଇଣ୍ଡିଆର ୩୭୦ ଯାତ୍ରୀ, ଯାନ୍ତ୍ରିକ ତ୍ରୁଟି ଥାଇ ୩୮ ମିନିଟ୍ ଉଡ଼ିଲା

Advertisment
ଆକାଶରେ ଅଚଳ ହୋଇଗଲା ବିମାନ: ବର୍ତ୍ତିଗଲେ ଏୟାର ଇଣ୍ଡିଆର ୩୭୦ ଯାତ୍ରୀ, ଯାନ୍ତ୍ରିକ ତ୍ରୁଟି ଥାଇ ୩୮ ମିନିଟ୍ ଉଡ଼ିଲା

Source:The Hindu Business Line

କନକ ବ୍ୟୁରୋ: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ଦୂରଗାମୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଆକାଶ ମାର୍ଗରେ ଥିବା ବେଳେ ବିମାନର ଅଧିକାଂଶ ଯାନ୍ତ୍ରିକ ବ୍ୟବସ୍ଥା ଅଚଳ ହେବା ଏବଂ ତେଲ ସରିଯିବା ଯୋଗୁ ଦୁର୍ଘଟଣା ଘଟିବା ପ୍ରାୟ ନିଶ୍ଚିତ ଥିଲା। କିନ୍ତୁ ସୌଭାଗ୍ୟବଶତଃ ନ୍ୟୁୟର୍କ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ (ଏଟିସି) ପକ୍ଷରୁ ସହଯୋଗ ମିଳିବା ପରେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି। ଫଳରେ ବିମାନରେ ଥିବା ସମସ୍ତ ୩୭୦ ଯାତ୍ରୀ ରକ୍ଷା ପାଇଯାଇଛନ୍ତି।

ଏୟାର ଇଣ୍ଡିଆର ବୋଇଂ ୭୭୭-୩୦୦ ବିମାନ ୩୭୦ ଯାତ୍ରୀଙ୍କୁ ନେଇ ସେପ୍ଟେମ୍ବର ୧୧ ତାରିଖରେ ନୂଆଦିଲ୍ଲୀରୁ ଆମେରିକାର ବୋଷ୍ଟନ୍‌ସ୍ଥିତ ବ୍ରାଡ୍‌ଲି ଇଣ୍ଟରନ୍ୟାସ୍‌ନାଲ୍‌ ଏୟାରପୋର୍ଟ ଅଭିମୁଖେ ଉଡ଼ାଣ କରିଥିଲା। କନେକ୍ଟିକଟ୍‌ର ବ୍ରାଡ୍‌ଲି ବିମାନବନ୍ଦରରେ ଏହା ଅବତରଣ କରିବାର ଥିଲା। କିନ୍ତୁ ବିମାନବନ୍ଦରଠାରୁ ଅନେକ ଦୂରରେ ଥିବା ବେଳେ ତେଲ ସରିଆସିଥିଲା। ବିମାନରେ ସେହି ସମୟରେ ଯେତିକି ତେଲ ଥିଲା, ସେଥିରେ ବ୍ରାଡ୍‌ଲି ବିମାନବନ୍ଦରରେ ପହଞ୍ଚିବା ଏକପ୍ରକାର ଅସମ୍ଭବ ଥିଲା। ଆକାଶ ମାର୍ଗରେ ହିଁ ତେଲ ସରିଯାଇଥାନ୍ତା। ଫଳରେ ବିମାନଟି ସିଧା ଭୂପୃଷ୍ଠରେ ଖସିପଡ଼ିଥାନ୍ତା।

ଉଲ୍ଲେଖଯୋଗ୍ୟ, ୧୫ ଘଣ୍ଟାରୁ ଅଧିକ ଉଡ଼ାଣ କରିସାରିଥିବା ଏଆଇ-୧୦୧ ବିମାନର ପାଇଲଟ୍‌ କ୍ୟାପ୍ଟେନ୍‌ ରୁସ୍ତମ୍‌ ପାଲିଆ ବିମାନରୁ ତେଲ ସରିଆସିବାରୁ ପାଗଳପ୍ରାୟ ହୋଇଯାଇଥିଲେ। କାରଣ ତେଲ ସରିବା ସହିତ ବିମାନର ସମସ୍ତ ବ୍ୟବସ୍ଥା ଅକାମୀ ହୋଇଯାଇଥିଲା। ସମସ୍ତ ୩ଟି ଇନ୍‌ଷ୍ଟମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ୍‌ ମଧ୍ୟ ଅକାମୀ ହୋଇଯାଇଥିଲା। କ’ଣ କରିବେ ମୁଣ୍ଡକୁ ବୁଦ୍ଧି ପଶିନଥିଲା। କିନ୍ତୁ କୌଣସି ଯାତ୍ରୀଙ୍କୁ ଅବଗତ ନକରି ପରିସ୍ଥିତିର ସାମ୍ନା କରିଥିଲେ।

ବିମାନରେ ଯାନ୍ତ୍ରିକ ବ୍ୟବସ୍ଥା ଖରାପ ହେବାରୁ ଏହା ଯେଉଁଭଳି ଭାବେ ଉଡ଼ିବା କଥା ସେଭଳି ଉଡ଼ିନଥିଲା। ରେଡିଓ ଅଲ୍ଟିମିଟର ବ୍ୟବସ୍ଥା ବି ଫେଲ୍‌ ମାରିଥିଲା। ଦୀର୍ଘ ୩୮ ମିନିଟ୍‌ ଧରି ଅକାମୀ ବ୍ୟବସ୍ଥାରେ ବିମାନ ଉଡ଼ାଇବାକୁ ପଡ଼ିଥିଲା। ତେବେ ନ୍ୟୁୟର୍କସ୍ଥିତ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଘଟଣା ସଂପର୍କରେ ଜାଣିବା ପରେ ସହଯୋଗ କରିଥିଲା। ରୁସ୍ତମ୍‌ ନ୍ୟୁୟର୍କସ୍ଥିତ ଜେଏଫ୍‌କେ ଇଣ୍ଟରନ୍ୟାସ୍‌ନାଲ୍‌ ଏୟାରପୋର୍ଟରେ ବିମାନକୁ ଅବତରଣ କରିବାକୁ ଚାହିଥିଲେ। ତାହା ସମ୍ଭବ ହୋଇନଥିଲା। ଶେଷରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପରେ ନେଓ୍ଵାର୍କରେ ବିମାନଟି ଓହ୍ଲାଇଥିଲା।

ନେଓ୍ଵାର୍କ ବିମାନବନ୍ଦରରେ ମଧ୍ୟ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା ଥିଲା। କାରଣ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଠିକ୍‌ରେ ଅବତରଣ କରିପାରିନଥିଲା। ଆକାଶ ମେଘାଚ୍ଛନ୍ନ ଥିବା ବେଳେ ଏହା ଆବଶ୍ୟକ ସ୍ତରକୁ ଆସି ଉଡ଼ାଣ କରି ବିମାନ ବନ୍ଦର ଠାବ କରିପାରିନଥିଲା। ବିମାନ ବନ୍ଦରରେ ସମସ୍ତ ବୈଷୟିକ ବ୍ୟବସ୍ଥା ଥିବା ସତ୍ତ୍ୱେ ବିମାନର କେବଳ ମାନୁଆଲ୍‌ ଅବତରଣ ସମ୍ଭବ ହୋଇଥିଲା। ଶେଷରେ ସମସ୍ତ ଯାତ୍ରୀ ରକ୍ଷା ପାଇଯାଇଥିଲେ। ଅବତରଣ ପରେ ବିମାନରେ ଆଉ ସ୍ୱଳ୍ପ ମାତ୍ରାରେ ତେଲ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe