କ୍ଷୀରରେ ମିଶୁଛି ସାମ୍ପୁ ? ସାମ୍ନାକୁ ଆସିଲା ଅପମିଶ୍ରଣର ସାଂଘାତିକ ସତ, କ୍ଷୀରରେ ଡିଟରଜେଣ୍ଟ ସମେତ ମିଶାଯାଉଛି ଭୟଙ୍କର କେମିକାଲ୍ ଏବଂ ସ୍ପିରିଟ୍ ?

1,449

କନକ ବ୍ୟୁରୋ : ଆପଣ ପ୍ରତିଦିନ କ୍ଷୀର ପିଉଥିବେ । ଆଉ କୁହାଯାଏ, ଦୈନିକ କ୍ଷୀର ପିଇବା ସ୍ୱାସ୍ଥ୍ୟପାଇଁ ହିତକର ହୋଇଥାଏ । କିନ୍ତୁ କ୍ଷୀରରେ ଅପମିଶ୍ରଣର ଅନେକ ଘଟଣା ଆପଣ ପୂର୍ବରୁ ଶୁଣିଥିବେ । କିିନ୍ତୁ ଆଜି ଆମେ ଆପଣଙ୍କୁ କ୍ଷୀରରେ ଅପମିଶ୍ରଣର ଏମିତି ଏକ ଘଟଣା କହିବୁ, ଯାହା ଆପଣଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ ।

କ୍ଷୀରରେ ମିଶୁଛି ସାମ୍ପୁ ? ଅପମିଶ୍ରଣର ସାଂଘାତିକ ସତ । ଏମିତି ଏକ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଏକ ଡାଏରୀ ଫାର୍ମ ଉପରେ ଚଢାଉ କରାଯାଇଥିଲା । ଘଟଣାଟି ହେଉଛି ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲାର । ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଏମିତି ଏକ ବଡ ପ୍ଲାଂଟ ଉପରେ ଚଢାଉ କରିଥିଲେ, ଯେଉଁଠି ଦିନ ଦ୍ୱିପହରରେ ଚାଲିଥିଲା ବେଧଡକ ଅପମିଶ୍ରଣ ।

ଆଇନ ଆଖିରେ ଧୂଳି ଦେଇ ଲୋକଙ୍କ ଜୀବନ ସହ ଖେଳାଯାଉଥିଲା ସାଂଘାତିକ ଖେଳ । ଚଢାଉ ସମୟରେ ଦେଖିବାକୁ ମିଳିଥିଲା ଯେ, କ୍ଷୀରରେ ଡିଟରଜେଣ୍ଟ, ୟୁରିଆ, ହାଇଡ୍ରୋଜେନ୍ ଲୁବ୍ରିକେଣ୍ଟ, କ୍ରିପ୍ଟୋ ଅଏଲ୍ ଭଳି ଅନେକ ରାସାୟନିକ ପଦାର୍ଥ ଖୁଲମଖୁଲା ଅପମିଶ୍ରଣ କରାଯାଉଥିଲା ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କ୍ଷୀରକୁ ଅଧିକ ଦିନ ଧରି ବ୍ୟବହାର ଉପଯୋଗୀ କରି ରଖିବା ପାଇଁ ଚାଲିଥିଲା ଏଭଳି ଅପମିଶ୍ରଣ । ବ୍ୟବସାୟୀ ନକଲି କ୍ଷୀର ପ୍ରସ୍ତୁତ କରି ବଜାରକୁ ଛାଡୁଥିଲେ । ଆଉ ଲୋକମାନେ ସେହି କ୍ଷୀରକୁ କିଣି ଘରକୁ ମଧ୍ୟ ନେଉଥିଲେ ।

ଚଢାଉ ସମୟରେ, ନକଲି କ୍ଷୀର ପ୍ରସ୍ତୁତ କରାଯାଉଥିବା ସାମଗ୍ରୀ ଜବତ କରିଛି ପୋଲିସ । ଯେଉଁଥିରେ ରହିଛି ଶହ ଶହ ବସ୍ତା ପାଉଡର, ସିନ୍ଥେଟିକ୍ କ୍ଷୀର ତିଆରି କରାଯାଉଥିବା ୩୦୦ ଲିଟର କେମିକଲ୍ ଏବଂ ଅପମିଶ୍ରଣରେ ବ୍ୟବହାର କରାଯାଉଥିବା ଅନେକ ସାମଗ୍ରୀ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଏମିତି କିଛି ସ୍ପିରିଟ୍ ରହିଛି, ଯାହାକୁ ହସ୍ପିଟାଲରେ କ୍ଷତ ଚିହ୍ନ ବା ଘା’ ସଫା କରିବାରେ ବାବହାର କରାଯାଇଥାଏ । ଏବଂ ଏମିତି ବି କିଛି ସ୍ପିରିଟ୍ ରହିଛି ଯାହାକୁ ଆଲକହଲ ଜାତୀୟ ଦ୍ରବ୍ୟରେ ମଧ୍ୟ ବ୍ୟବହାର କରାଯାଏ । ଏହି ଘଟଣା ସାରା ଦେଶକୁ ଆଶ୍ଚର୍ଯ୍ୟ କରିଦେଇଥିବା ବେଳେ, ପ୍ରତିଦିନ କ୍ଷୀର ପିଉଥିବା ଲୋକମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି ।