କନକ ବ୍ୟୁରୋ : ଲକ୍ଷଣ ବଦଳାଉଛି କରୋନା । ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବାର ଆବଶ୍ୟକତା ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଟେଷ୍ଟ କଲେ ନିଜେ ସୁରକ୍ଷିତ ରହିବା ସହ ୩୦ଜଣ ସୁରକ୍ଷିତ ରହିପାରିବେ ।
ତେବେ ସୁନ୍ଦରଗଡ଼ ଓ ବୁର୍ଲାରେ ସଂକ୍ରମଣକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ କିଛି ନିର୍ଦ୍ଦିଷ୍ଟ ପକେଟରେ ସଂକ୍ରମଣ ହେଉଛି। ଭିମସାର ଓ ସୁନ୍ଦରଗଡ଼ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବାହାର ପିଲା ଭୁତରକୁ ପ୍ରବେଶ କରିବେ ନାହିଁ । କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ ।
ଏଥିପାଇଁ ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି। ଚିହ୍ନଟ ବ୍ୟକ୍ତିଙ୍କ ଠାରେ ସିଭିଅରିଟି କମ୍ ରହିଛି। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଯେହେତୁ ହଷ୍ଟେଲରେ ପିଲାମାନେ ଏକାଠି ହୋଇ ରହୁଛନ୍ତି ତେଣୁ କିଛି ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି। ଏଥିପାଇଁ ହଷ୍ଟେଲରେ ସ୍ବତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି। ୪ରୁ ୫ ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତକୁ ଆସିବ।
ବର୍ତ୍ତମାନ ବାହାରେ କୋଭିଡ ପ୍ରୋଟୋକାଲ ଲୋକମାନେ ମାନୁନାହାନ୍ତି। ଏହା ଆଗାମୀ ଦିନରେ ବଡ଼ ବିପଦ ସୃଷ୍ଟି କରିପାରେ । ତେଣୁ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି। ଆବଶ୍ୟକତାଠାରୁ ଅଧିକ ଘରୁ ନ ବାହାରିବାକୁ ବି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି ।
Follow Us