ଭାରତରେ କରୋନା ଭାଇରସ ସଂକ୍ରମିତ ରୋଗୀ, ଜାଣନ୍ତୁ କଣ ରହିଛି ଏହି ଭାଇରସର ଲକ୍ଷଣ ଓ କିଭଳି ଏଥିରୁ ପାଇପାରିବେ ରକ୍ଷା?

3,802

ଚୀନରୁ ବ୍ୟାପିଥିବା କରୋନା ଭାଇରସ ପୂରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ଭାରତରେ ୨ ଜଣଙ୍କ ଦେହରେ କରୋନା ଭୂତାଣୁ ଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି । କରୋନା ଭାଇରସରେ ସଂକ୍ରମିତ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ଜଣେ ତେଲେଙ୍ଗାନା ଅଞ୍ଚଳର । ଏହି ଦୁଇ ଜଣଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି ।ଦିଲ୍ଲୀରୁ ଚିହ୍ନଟ ହୋଇଥିବା ରୋଗୀ ଇଟାଲୀରୁ ଆସିଥିବା ବେଳେ ତେଲେଙ୍ଗାନାରୁ ଚିହ୍ନଟ ହୋଇଥିବା ରୋଗୀ ଜଣକ ଦୁବାଇରୁ ଫେରିଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ଏବେ ଲୋକଙ୍କ ମନରେ ଛନକା ପଶିଛି । ତେବେ ଏହି ଭାଇରସରେ ସଂକ୍ରମିତ ହେବା ପୂର୍ବରୁ ଜାଣି ରଖନ୍ତୁ ଏହାର ଲକ୍ଷଣ କଣ ଓ ଏଥିରେ ଆପଣ କିଭଳି ରକ୍ଷା ପାଇପାରିବେ ।

କରୋନା ଭାଇରସର ଲକ୍ଷଣ :
କରୋନା ଭାଇରସର ଲକ୍ଷଣ ଅତି ସାଧାରଣ । ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରଥମେ ଜ୍ୱର ହୋଇଥାଏ ଓ ଥକା ଅନୁଭବ ହୋଇଥାଏ । ଏହାସହ ନିଶ୍ୱାସ ନେବାରେ କଷ୍ଟ ହେବା ସହ ନାକରୁ ପାଣି ଗଡିବା, ଶୁଖିଲା କାଶ, କଫ, ଗଳା ଦରଜ ହେବା, କରୋନା ଭାଇରସର ପ୍ରାଥମିକ ଲକ୍ଷଣ । କିଛି କ୍ଷେତ୍ରରେ ଡାଇରିଆ ଭଳି ସ୍ଥିତି ରୋଗୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ସେହିଭଳି କିଛି ଲୋକଙ୍କ କ୍ଷେତ୍ରରେ ନିମୋନିଆ ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲେ ତାହା ମଧ୍ୟ କରୋନା ଭାଇରସର ଲକ୍ଷଣ । ଯାହା ସ୍ୱାସ୍ଥ୍ୟ ପାଇଁ ଅତି ସାଂଘାତିକ । କରୋନା ଭାଇରସ ଖୁବ ଶୀଘ୍ର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥାଏ । ଏପରିକି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସହ ମିଳାମିଶା କଲେ ମଧ୍ୟ ଏହା ବ୍ୟାପିଥାଏ । ଏପରିକି କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ସମୟରେ ମଧ୍ୟ କିଛି ଡାକ୍ତର ଏହି ଭାଇରସର ଶିକାର ହୋଇଛନ୍ତି ।

କରୋନା ଭାଇରସର ଏଯାଏଁ କୌଣସି ପ୍ରତିଷେଧକ ବ୍ୟବସ୍ଥା ବାହାରି ନାହିଁ । କିନ୍ତୁ ବୃଦ୍ଧା ଲୋକ, ଡାଇବେଟିସ, ହୃଦରୋଗ କିମ୍ବା ପୂର୍ବରୁ କୌଣସି ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ କରୋନା ଭାଇରସ ଅଧିକ ମାତ୍ରାରେ ଗ୍ରାସ କରିଥାଏ । ତେଣୁ କରୋନା ଭାଇରସରୁ ନିଜକୁ ଦୂରେଇ ରଖିବାକୁ ହେଲେ ପାଖ ପରିବେଶକୁ ସଫାସୁତୁରା ରଖିବାର ଆବଶ୍ୟକତା ରହିଛି । କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁରେ କପଡା ଦିଅନ୍ତୁ ଏବଂ ଏହି କପଡାକୁ ଡଷ୍ଟବିନରେ ପକାନ୍ତୁ । ଏପରିକି ଖାଇବା ପୂର୍ବରୁ ସାବୁନରେ ହାତ ଧୁଅନ୍ତୁ । ସେହିଭଳି କରୋନା ଭାଇରସ ପ୍ରଭାବିତ ଅଞ୍ଚଳକୁ ଯାଉଥିଲେ ମୁହଁରେ ମାସ୍କ ପକାନ୍ତୁ । ଖାସକରି ଭିଡ ଅଞ୍ଚଳରୁ ଯଥାସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଏହାବାଦ୍ ରୋଷେଇ ବେଳେ ଖାଦ୍ୟକୁ ଅଧିକ ସିଝାଇବାକୁ ଚେଷ୍ଟା କରନ୍ତୁ । ଜୀବଜନ୍ତୁଙ୍କ ସଂସ୍ପର୍ଶରେ ଯଥାସମ୍ଭବ କମ ଆସନ୍ତୁ ।

ଚୀନର ଉହାନରୁ ବ୍ୟାପିଥିବା ଏହି କରୋନା ଏବେ ପୂରା ବିଶ୍ୱରେ କାୟା ବିସ୍ତାର କରିବା ଆରମ୍ଭ କଲାଣି । ବିଶ୍ୱର ୫୦ରୁ ଅଧିକ ଦେଶରେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏପରିକି ପୂରା ବିଶ୍ୱରେ ଏଯାଏଁ ୮୮ ହଜାରରୁ ଅଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେଣୁ ଏଭଳି ସ୍ଥଳେ ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ।