ଭୟାନକ ହେଉଛି କରୋନାର ଦ୍ୱିତୀୟ ଲହର । ଏବେ ଅଧିକ ସଂକ୍ରମିତ ହେଉଛନ୍ତି ଯୁବବର୍ଗ ଓ ଛୋଟ ପିଲା । କେମିତି ଜାଣିବେ ଆପଣଙ୍କ ପିଲାକୁ ହୋଇଛି କି ନାହିଁ ସଂକ୍ରମଣ

939

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଅଧିକାଂଶ ଛୋଟ ପିଲା ଓ ଯୁବବର୍ଗ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ଯାହାକି ପ୍ରଥମ ଲହର ବେଳେ କମ୍ ଥଲା । ଏବେ ଦେଶରେ ଅଧିକାଂଶ ଯୁବକ ଓ ଛୋଟ ପିଲା ସଂକ୍ରମିତ ହେଉଥିବା ନେଇ ସରକାରଙ୍କ ଚିନ୍ତା ବଢିଛି    । କରୋନାର ଏହି ନୂଆ ଷ୍ଟେନରେ କିଛି ନୂଆ ଲକ୍ଷଣ ଦେଖିବାକୁ ମିଳୁଥିବା ବେଳେ ସଂକ୍ରମଣର ବେଗ ୩ ଗୁଣା ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

କରୋନାର ଏହି ନୂଆ ଷ୍ଟେନରେ ବିଶେଷ ଭାବେ ଛୋଟ ପିଲାମାନେ ସଂକ୍ରମିତ ହେଉଥିବା ନଜରକୁ ଆସିଛି । ଗତ ୨ ମାସ ମଧ୍ୟରେ ଦେଶରେ ୮୦ ହଜାରରୁ ଅଧିକ ପିଲା କରୋନାରେ ସଂକ୍ରମିତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି ।

ହେଲେ ଆମେ କିଭଳି ଜାଣିବା ଯେ ଆମ ପିଲା କରୋନାରେ ସଂକ୍ରମିତ ହୋଇଛି କି ନାହିଁ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ର କହିବା କଥା କରୋନାର ପ୍ରଥମ ଲହରରେ କେବଳ ଥଣ୍ଡା, ଜ୍ୱର ଓ କାଶର ଲକ୍ଷଣକୁ ନେଇ କରୋନା ସଂକ୍ରମଣ ବୋଲି ସନ୍ଦେହ କରାଯାଉଥିଲା । ହେଲେ ନୂଆ ଷ୍ଟେନରେ ଲକ୍ଷଣ ବଦଳବାରେ ଲାଗିଛି । ଯଦି ଆପଣଙ୍କ ପିଲାକୁ ଡାଇରିଆ, ବାନ୍ତି ହେବା , ପେଟରେ ଯନ୍ତ୍ରଣା ହେବା, ଜ୍ୱର ଲାଗିରହିବ ଓ ନିଶ୍ୱାସ ନେବାରେ ଅସୁବିଧା ହେଉଛି ତେବେ ତାହା ବି କରୋନାର ଲକ୍ଷଣ ହୋଇପାରେ । ଏହାସହ କାଶ ହେବା, ନାକରୁ ପାଣି ଗଡିବା, ଭୋକ ନହେବା, ଥକାପଣ ସହ ପିଲା ଯଦି ଚିଡିଚିଡା ହେଉଛି ତେବେ ବି ଏହା କରୋନାର ଲକ୍ଷଣ ବୋଲି ସନ୍ଦେହ କରାଯାଇପାରେ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ଯଦି ଆପଣଙ୍କ ପିଲା ଠାରେ ଏଭଳି କିଛି ଲକ୍ଷଣ ଦେଖାଯାଉଛି ତେବେ ପ୍ରଥମେ ତା’ର କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ । ପିଲାକୁ ବାହାର ଲୋକଙ୍କ ସହ ମିିଶିବାକୁ ଦିଅନ୍ତୁ ନାହିଁ । ପରିବାର ଭିତରେ ରହିଲେ ବି ସବୁବେଳେ ମାସ୍କ ବ୍ୟବହାର କରାନ୍ତୁ ଓ ବିଶେଷ ଭାବେ ତା ପାଇଁ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା କରନ୍ତୁ ।