ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ମ୍ୟାଚରେ ଅଭାବନୀୟ ଘଟଣା । ମ୍ୟାଚ୍ ହାରିକି ବି ଜିତିଲା ଓଡିଶା

1,871

କନକ ବ୍ୟୁରୋ : ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗୀତାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାସ୍ତବରେ ଓଡ଼ିଶା ମ୍ୟାଚ୍ ଜିତିଥିଲେ ମଧ୍ୟ ତାମିଲନାଡୁକୁ ଜିତାଇ ଦିଆଯାଇଛି । ତାମିଲନାଡୁର ଜଣେ ଖେଳାଳୀ ମିଛ କହିବା ଯୋଗୁ ଓଡ଼ିଶାକୁ ୧ ରନରେ ହାରିବାକୁ ପଡିଛି । ଗତକାଲି ମ୍ୟାଚର ଘଟଣା ଥିଲା କିଛି ଏପରି । ପ୍ରଥମେ ବ୍ୟାଟିଂ କରି ତାମିଲନାଡୁ ୧୬୫ ରନ କରିଥିବା ବେଳେ ଓଡ଼ିଶା ୧୬୬ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିଲା । ମ୍ୟାଚ ଜିତିବା ପାଇଁ ଶେଷ ତିନିଟି ବଲରେ ୧୨ ରନ ଆବଶ୍ୟକ ଥିବା ବେଳେ ଓଡ଼ିଶା ପକ୍ଷରୁ ଅଭିଷେକ ବ୍ୟାଟିଂ କରୁଥିଲେ ।

ବୋଲର ନଟରାଜନ ଏକ ବଲକୁ ଅଭିଷେକ ଅଫ ସାଇଡରେ ଖେଳିଥିଲେ ଏବଂ ବଲଟି ବାଉଣ୍ଡ୍ରିକୁ ଛୁଇଁ ସାରିଥିଲା । କିନ୍ତୁ ସେଠାରେ ଫିଲ୍ଡି କରୁଥିବା ଅଶ୍ୱୀନୀ ଅମ୍ପାୟାରଙ୍କୁ ବଲଟି ବାଉଣ୍ଡ୍ରି ଛୁଇଁ ନ ଥିବା କହିଥିଲେ । ଯେହେତୁ ଏହି ମ୍ୟାଚରେ ଥାର୍ଡ ଅମ୍ପାୟାର ନଥିଲେ ତେଣୁ ଫିଲ୍ଡି କରିଥିବା ଖେଳାଳୀଙ୍କ କଥା ଆଧାରରେ ଅମ୍ପାୟାର ଏହାକୁ ୪ ରନ ବଦଳରେ ଗୋଟିଏ ରନ ଦେଇଥିଲେ । କିନ୍ତୁ ମ୍ୟାଚର ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ବଲଟି ବାଉଣ୍ଡ୍ରି ଛୁଇଁ ସାରିଛି । ଅଶ୍ୱୀନୀଙ୍କ ମିଛ ଯୋଗୁଁ ଓଡ଼ିଶାକୁ ୧ ରନରେ ହାରିବାକୁ ପଡିଥିଲା । ତେବେ ଅଶ୍ୱିନୀଙ୍କ ଏଭଳି ମିଛକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି କ୍ରିକେଟ ପ୍ରେମୀ ।