ସିଡନୀ ଟେଷ୍ଟ ଡ୍ର ପରେ ସାମ୍ନାକୁ ଆସିଲା ଯନ୍ତ୍ରଣାର କାହାଣୀ : ପେନକିଲର ଓଭର ଡୋଜ୍ ନେଇ ଖେଳିଥିଲେ ଆହତ ପନ୍ତ ଓ ହନୁମା ବିହାରୀ

ମ୍ୟାଚ୍ ଡ୍ର କରି କଙ୍ଗାରୁ ଦଳର ବିଜୟ ସ୍ୱପ୍ନ କରିଦେଲେ ଚୁରମାର

604

କନକ ବ୍ୟୁରୋ : ସିଡନୀ ଟେଷ୍ଟ ଡ୍ର ପରେ ସାମ୍ନାକୁ ଆସିଛି ଭାରତୀୟ ଖେଳାଳିଙ୍କ ଯନ୍ତ୍ରଣାର କାହାଣୀ । ମ୍ୟାଚରେ ଆହତ ହୋଇଥିବା ରିସଭ ପନ୍ତ ଓ ହନୁମା ବିହାରୀ ପେନକିଲର ନେଇ ଖେଳିଥିଲେ ବ୍ୟାଟିଂ ଜାରି ରଖିଥିଲେ । ପଂଚମ ଦିନରେ ପନ୍ତ, ହନୁମା ବିହାରୀଙ୍କ ସହିତ ଅଶ୍ୱିନଙ୍କ ଲଢୁଆ ପ୍ରଦର୍ଶନ ପାଇଁ ଆସନ୍ନ ପରାଜୟରୁ ବର୍ତି ସିଡନୀ ଟେଷ୍ଟ ଡ୍ର କରିବାରେ ସଫଳ ହୋଇଥିଲା ଟିମଇଣ୍ଡିଆ । ଆଉ ଅଷ୍ଟ୍ରେଲିଆର ମ୍ୟାଚ୍ ଜିତିବାର ସ୍ୱପ୍ନ ବି ଧୂଳିସାତ୍ ହୋଇଯାଇଥିଲା । ପନ୍ତଙ୍କ କହୁଣୀରେ ବଲ୍ ବାଜିବାରୁ ସେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହା ପରେ ସେ ପେନକିଲର ନେଇ ୯୭ ରନର ଆକ୍ରାମକ ଇନିଂସ ଖେଳିଥିଲେ ।

ଅନ୍ୟପଟେ ଭାରତ ପାଇଁ ଲଢେଇ କରିଥିଲେ ଆର ଅଶ୍ୱିନ୍ ଓ ହନୁମା ବିହାରୀ । ଏହି ଦୁଇ ଖେଳାଳି ୨୫୯ଟି ବଲ୍ ଖେଳି କଙ୍ଗାରୁ ଦଳ ଓ ବିଜୟ ମଧ୍ୟରେ ପାଚେରୀ ଭଳି ଠିଆ ହୋଇ ରହିଲେ । ଅଶ୍ୱିନ୍ ୧୨୮ ବଲରୁ ୩୯ ଏବଂ ହନୁମା ବିହାରୀ ୧୬୧ ବଲରୁ ୨୯ ରନ୍ କରି ଅପରାଜିତ ରହିଥିଲେ । ଫଳରେ ଶେଷ ଦିନରେ ୪୦୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ ୩୪୪ ରନ୍ କରି ସିଡନୀ ଟେଷ୍ଟ ଡ୍ର କରିବାରେ ସଫଳ ହୋଇଥିଲା ।

୪୦ ବର୍ଷ ତଳେ ଓଭାଲ ଟେଷ୍ଟରେ ସମାନ ଧରଣର ସଂଘର୍ଷ କରି ଭାରତ ଓଭାଲ ଟେଷ୍ଟ ଡ୍ର କରିଥିଲା । ସେହିବର୍ଷ ପାକିସ୍ତାନ ବିପକ୍ଷରେ ୧୩୧ ଓଭର ବ୍ୟାଟିଂ କରି ମ୍ୟାଚ୍ ଡ୍ର କରିଥିଲା ଭାରତ । ତେବେ ସିଡନୀରେ ପନ୍ତ , ହନୁମା ବିହାରୀ ଆହତ ଥାଇ ଏବଂ ଆର ଅଶ୍ୱିନ୍ ଅଂଟା ଯନ୍ତ୍ରଣା ଭିତରେ ଯେପରି ସଂଘର୍ଷ କରି ଭାରତ ପାଇଁ ମ୍ୟାଚ୍ ବଂଚାଇ ଦେଲେ , ତାହା ଦୀର୍ଘ ବର୍ଷ ଯାଏଁ ଟେଷ୍ଟ କ୍ରିକେଟରେ ମନେ ରହିବ ।