ମହଙ୍ଗା ପଡିଲା ଆକ୍ରମଣ । ଚାଷୀ ଆନ୍ଦୋଳନରେ ପୋଲିସ ଏସଏଚଓଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ ଘଟଣାରେ ବଢୁଛି ଗିରଫଦାରୀ ସଂଖ୍ୟା । ଏଯାଏଁ ୪୪ ଜଣଙ୍କୁ ଗିରଫ କଲାଣି ଦିଲ୍ଲୀ ପୋଲିସ

ସିଂଘୁ ବର୍ଡରରେ ପୋଲିସ ଉପରକୁ ଖଣ୍ଡାରେ ହୋଇଥିଲା ଆକ୍ରମଣ

123

କନକ ବ୍ୟୁରୋ: ଦିଲ୍ଲୀ କୃଷକ ଆନ୍ଦୋଳନରେ ଆନ୍ଦୋଳନକାରୀଙ୍କୁ ମହଙ୍ଗା ପଡିଲା ପୋଲିସ ଏସଏଚଓଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିବା । ସିଂଘୁ ବର୍ଡରରେ ଦେଖିବାକୁ ମିଳିଥିଲା ଏହି ଘଟଣା । ସୁରକ୍ଷା ଦାୟିତ୍ୱରେ ଥିଲେ ଦିଲ୍ଲୀ ପୋଲିସ ଏସଏଚଓ ପ୍ରଦୀପ ପାଲିୱାଲ । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଗଲା ବେଳେ ଖଣ୍ଡାରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ । ତେବେ ଭିଡିଓ ଫୁଟେଜକୁ ସଂଗ୍ରହ କରି ଏହି ଘଟଣାରେ ଏଯାବାତ୍ ୪୪ ଜଣଙ୍କୁ ଗିରଫ କଲାଣି ଦିଲ୍ଲୀ ପୋଲିସ ।

ସେପଟେ, ଆଜି ସାରାଦେଶରେ ଚାଷୀ ପାଳନ କରିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଦେଶବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି । ସକାଳ ୯ ଟାରୁ ସଂଧ୍ୟା ୫ଟା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ସୂଚନା ଦିଆଯାଇଛି । ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିକୁ ପୁଣି ଜୋରଦାର କରିବା ପାଇଁ ଅଂଟା ଭିଡିଛନ୍ତି ଚାଷୀ ନେତା ।

ଅନ୍ୟପଟେ ସିଂଘୁ ସୀମାରେ ଜାରି ରହିଥିବା କୃଷକ ଆନ୍ଦୋଳନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଆନ୍ଦୋଳନ ହଟାଇବା ପାଇଁ ସ୍ଥାନୀୟ ଲୋକମାନେ ବିକ୍ଷୋଭ କରିବା ପରେ ଆନ୍ଦୋଳନକାରୀ ଚାଷୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଛନ୍ତି । ଏପରିକି ଉଭୟ ପକ୍ଷ ମଧ୍ୟ ପରସ୍ପର ଉପରକୁ ପଥରମାଡ କରିଥିଲେ । ତେବେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ଲାଠିମାଡ କରିବାକୁ ପଡିଛି ।