ପ୍ରାୟ ଦେଢ଼ ବର୍ଷର ସଂଗ୍ରାମ ପରେ ହାରିଗଲେ ଦୁଷ୍କର୍ମପୀଡ଼ିତା, ମିଳିଲାନି ନ୍ୟାୟ, ଜଳିଲା ଜୁଇ । ଆତ୍ମହତ୍ୟା ଉଦ୍ୟମ ପରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜି ଦେଲେ ଛାତ୍ରୀ

ନ୍ୟାୟ ମିଳିଲାନି, ଜୁଇ ଜଳିଲା

707

କନକ ବ୍ୟୁରୋ : ନ୍ୟାୟ ମିଳିଲାନି, ଜୁଇ ଜଳିଲା । ଇଏ ଏମିତି ଏକ କାହାଣୀ ଯାହା ଶୁଣିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ । ଆପଣଙ୍କ ଆଖିରୁ ଲୁହ ଝରି ଆସିବ । ପ୍ରାୟ ଦେଢ଼ ବର୍ଷ ଧରି ନ୍ୟାୟ ଅପେକ୍ଷା କରିବା ପରେ ଶେଷରେ ଆଖି ବୁଜିଛନ୍ତି ଦୁଷ୍କର୍ମ ପୀଡ଼ିତା ଜଣେ ନାବାଳିକା । ଏହି ଦୁଃଖ କାହାଣୀ ହେଉଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳର । ଗତ ୨୦୧୭ ନଭେମ୍ବର ମାସରେ ପ୍ଲସ୍ – ଟୁ ସାଇନ୍ସ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀ ଗଣଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ କଲେଜର ଜଣେ ଅଧ୍ୟାପକ ସମେତ ୪ଜଣଙ୍କ ନାଁରେ ହୋଇଥିଲା । ମାଥିଲି ପୋଲିସ ଏହି ଘଟଣାରେ ଏଫଆଇଆର ରୁଜୁ କରିଥିଲା, ହେଲେ କାହାରିକୁ ଗିରଫ କରିନଥିଲା ।

ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣ ଆଗୁଆ ଜାମିନ ଆଣିଥିଲେ । ପୋଲିସର ନିଷ୍କ୍ରିୟତା ଭିତରେ ମାମଲାକୁ ଉଠାଇନେବା ପାଇଁ ପୀଡିତା ଓ ତାଙ୍କ ପରିବାର ଉପରେ ଚାପ ପଡିଥିଲା । ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତାଙ୍କ ପରିବାର । ହାଇକୋର୍ଟ ମାମଲାକୁ ବିଚାର କରିବା ସହିତ ଘଟଣାର ପୁଣିଥରେ ତଦନ୍ତ ଏବଂ ପୀଡିତାକୁ ସୁରକ୍ଷା ଦେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମଧ୍ୟ ମାମଲାର କୌଣସି ଅଗ୍ରଗତି ହୋଇନଥିଲା । ସେପଟେ ମାନସିକ ଚାପରେ ଆସି ନାବାଳିକା ପୀଡ଼ିତା ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଭୁବନେଶ୍ୱର ପଠାଇ ଦେଇଥିଲେ ପରିବାର ଲୋକ ।

ଭୁବନେଶ୍ୱରରେ ଆଇଏଏସ କୋଚିଂ ନେବା ସହ ଯୁକ୍ତ ୩ରେ ନାମ ଲେଖାଇବା ଯୋଜନା କରିଥିଲେ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ସବୁସ୍ଥାନରେ ନ୍ୟାୟ ଭିକ୍ଷା କରିଥିଲେ ବି ତାଙ୍କୁ ନିରାଶ ହେବାକୁ ପଡିଥିଲା । ଶେଷରେ ଭୁବନେଶ୍ୱରରେ ଜଣେ ସଂପର୍କୀୟାଙ୍କ ଘରେ ପୁଣି ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପୀଡ଼ିତା । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିଲା । ହେଲେ ଆଜି ଆଖି ବୁଜିଛନ୍ତି ନାବାଳିକା । ତେବେ ଏହି ଦୁଃଖଦ ଘଟଣା ପୁଣି ଥରେ ବ୍ୟବସ୍ଥା ଉପରେ ଛିଡ଼ା କରିଛି ବଡ଼ ପ୍ରଶ୍ନବାଚୀ ।