କରୋନା ଆକ୍ରାନ୍ତ ହେବା ପରେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ପଚାରି ବୁଝିଲେ ସ୍ୱାସ୍ଥ୍ୟବସ୍ଥା

ସେପଟେ ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ଟୁଇଟ୍ କରି କଲେ ଆଶୁ ଆରୋଗ୍ୟ କାମନା । ପୁରୀ , କଟକ, ଜଗତସିଂହପୁରରେ ଦୀପଦାନ

177

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ହେବା ପରେ ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନ ଯୋଗେ ସୌମ୍ୟରଞ୍ଜନଙ୍କ ସହ ସ୍ୱାସ୍ଥ୍ୟବସ୍ଥା ନେଇ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ସୌମ୍ୟରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ନବୀନ । ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଟୁଇଟ କରି ସେ ନିଜେ ସୂଚନା ଦେଇଥିଲେ । ଟୁଇଟରେ ସେ ସୁସ୍ଥ ଥିବା ସୂଚନା ଦେଇଛନ୍ତି । ଏବଂ ଗତ ୭ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ ଅନୁରୋଧ କରିଛନ୍ତି ।

ସୌମ୍ୟରଞ୍ଜନ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସୌମ୍ୟରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କରି ଟୁଇଟ୍ କରିଛନ୍ତି । ସେହିପରି ରାଷ୍ଟ୍ରିୟ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସୌମ୍ୟରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି । କହିଛନ୍ତି ଏପରି ସମୟରେ ଆପଣଙ୍କ ସାଥିରେ ଜଗନ୍ନାଥ ଅଛନ୍ତି, ତେଣୁ ଆପଣ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବ ।

ସେପଟେ ପୁରୀରେ ସେବାୟତମାନେ ସୌମ୍ୟରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କରି ବଡଦାଣ୍ଡରେ ଦୀପ ଦାନ କରିଛନ୍ତି । ସେହିପରି କଟକ ଚଣ୍ଡିମନ୍ଦିର ଓ ଜଗତସିଂହପୁର ଶାରଳା ମନ୍ଦିରରେ ମଧ୍ୟ ସୌମ୍ୟରଂଜନଙ୍କ ଆରୋଗ୍ୟ କାମନା କରି ଦୀପଦାନ କରାଯାଇଛି । ପୂର୍ବରୁ ପୋଲସରା ବିଧାୟକ, ନୀଳଗିରି ବିଧାୟକ ଓ ସାଲେପୁର ବିଧାୟକ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାଛଡା ବରଗଡ ସାଂସଦ ସୁରେଶ ପୁଜାରୀ ମଧ୍ୟ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ ମାନି ହସ୍ପିଟାଲରେ ଭର୍ତି ହୋଇଛନ୍ତି ।