ସ୍ୱିଙ୍ଗ ଷ୍ଟେଟ ବାଛିବ ଆମେରିକାର ସମ୍ରାଟ କିଏ? ଜାଣନ୍ତୁ କେମିତି ହୁଏ ଆମେରିକାରେ ଭୋଟ ଗଣତି, କେଉଁ ଆଧାରରେ ବଛାଯାଏ ରାଷ୍ଟ୍ରପତି ?

155

କନକ ବ୍ୟୁରୋ : ଆମେରିକାରେ ୫୦ଟି ରାଜ୍ୟ ମଧ୍ୟରୁ ୬ଟି ରହିଛି ସ୍ୱିଙ୍ଗ ଷ୍ଟେଟ । ଅର୍ଥାତ ଏସବୁ ରାଜ୍ୟରେ ପରିଣାମ ଯାହା ସପକ୍ଷରେ ଯିବ, ସିଏ ହ୍ୱାଇଟ ହାଉସର ଧ୍ୱଜାଧାରୀ ହେବା ଏକ ପ୍ରକାର ନିଶ୍ଚିତ । ଆଉ ବର୍ତମାନ ପର୍ଯ୍ୟନ୍ତ ଆସିଥିବା ପରିଣାମ ଅନୁସାରେ ଏସବୁ ରାଜ୍ୟରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୫ରୁ ୧୦ ପ୍ରତିଶତ ଭୋଟରେ ଆଗରେ ରହିଛନ୍ତି । ନିୟମ ଅନୁସାରେ କୌଣସି ରାଜ୍ୟରେ ଗୋଟିଏ ବି ଭୋଟରେ ଆଗୁଆ ରହୁଥିବା ଦଳକୁ ପୁରା ରାଜ୍ୟର ଭୋଟ ଯାଏ । ତଥାପି ଚୂଡାନ୍ତ ଫଳାଫଳ କାହା ସପକ୍ଷରେ ଯିବ ଆକଳନ କରିବା ମୁସ୍କିଲ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟିଂ ଶେଷ ହେବାପରେ ଜାରି ରହିଛି ମତଗଣନା । ତେବେ ଭାରତ ପରି ଏଠାରେ ଏକକାଳୀନ ମତଗଣନା ହୁଏନାହିଁ । ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ସମୟରେ ବାଲଟ ଗଣତି ଆରମ୍ଭ ହୁଏ । ସେହିପରି ରାଷ୍ଟ୍ରୀୟ ସ୍ତରରେ ଅଧିକ ଭୋଟ ପାଇଥିବା ଜଣେ ପ୍ରାର୍ଥୀଙ୍କର ମଧ୍ୟ ବିଜୟ ହୋଇନଥାଏ । ଏଥିପାଇଁ ଇଲେକ୍ଟୋରାଲ କଲେଜର ଭୋଟ୍ ବିଶେଷ ଗୁରୁତ୍ୱ ରଖେ । ୨୦୧୬ରେ ମଧ୍ୟ ତାହା ହିଁ ହୋଇଥିଲା । ତେବେ ହ୍ୱାଇଟ ହାଉସକୁ ଏଣ୍ଟ୍ରି ପାଇଁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ ଭୋଟର ଆବଶ୍ୟକତା ରହିଛି । ଆମେରିକାରେ ମଙ୍ଗଳାବର ପ୍ରତ୍ୟକ୍ଷ ଭୋଟିଂ ପୂର୍ବରୁ ପ୍ରାୟ ୧୦ କୋଟି ମତଦାତା ପୋଷ୍ଟାଲ ବାଲଟ ଜରିଆରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିସାରିଥିଲେ । କରୋନା ସଂକ୍ରମଣରୁ ବର୍ତିବା ପାଇଁ ଆମେରିକା ଇତିହାସରେ ପ୍ରଥମଥର ଏତେ ସଂଖ୍ୟକ ପୋଷ୍ଟାଲ ବାଲଟ୍ ଭୋଟିଂ ହୋଇଛି ।

ପୋଷ୍ଟାଲ ବାଲଟ ଗଣତି ପୂର୍ବରୁ ମତଦାତାଙ୍କ ସ୍ୱାକ୍ଷର ଯାଂଚ, ଡକ୍ୟୁମେଂଟ ଗୁଡିକର ସତ୍ୟତା ଅନୁଧ୍ୟାନ ଏବଂ ବାଲଟ ପେପର ଗୁଡିକର ସ୍କାନିଂ ମଧ୍ୟ କରାଯାଇଥାଏ । ତେଣୁ କିଛି ଘଂଟା ମଧ୍ୟରେ ମତଗଣନା ଶେଷ କରିବା ସମ୍ଭବ ହୋଇନଥାଏ । ବିଭିନ୍ନ ରାଜ୍ୟରେ ମତଗଣନା ପ୍ରକ୍ରିୟା ମଧ୍ୟ ଭିନ୍ନ ଭିନ୍ନ ରହିଛି ।
ଆମେରିକାରେ କେମିତି ହୁଏ ମତଗଣନା?
– ଫ୍ଲୋରିଡା ଏବଂ ଓହିଓ ଭଳି ରାଜ୍ୟରେ ମତଦାତାଙ୍କର ଯାଂଚ ପ୍ରକ୍ରିୟା ଅନେକ ଦିନ ଆଗରୁ ଆରମ୍ଭ ହୋଇଥାଏ
– ତେଣୁ ଏସବୁ ରାଜ୍ୟରେ ପୋଷ୍ଟାଲ ବାଲଟର ଗଣତି ମତଦାନ ପରେ ପରେ ହିଁ ଆରମ୍ଭ କରିଦିଆଯାଏ
– ହେଲେ ପେନସିଲଭାନିଆ ଓ ୱିସକନସିନ ଭଳି ରାଜ୍ୟରେ ମତଦାନ ପୂର୍ବରୁ କୌଣସି ପ୍ରକ୍ରିୟା ଆରମ୍ଭ କରିବାର ନିୟମ ନାହିଁ
– ଭାରତ ଭଳି ଏକକ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନଥିବାରୁ ଅଲଗା ଅଲଗା ରାଜ୍ୟରେ ନିର୍ବାଚନକୁ ନେଇ ଭିନ୍ନ ଭିନ୍ନ ନିୟମ ରହିଛି

କେତେକ ରାଜ୍ୟରେ ପ୍ରାରମ୍ଭିକ ଫଳାଫଳ ଆସି ସାରିଥିବାବେଳେ ଆଉ କେତେକ ରାଜ୍ୟରେ ମତଗଣନା ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ୍ । ହେଲେ ଅନ୍ତିମ ଫଳାଫଳ ମଧ୍ୟ ଭିନ୍ନ ହୋଇପାରେ ।

କୁହାଯାଉଛି ଆମେରିକାରେ ୫୦ଟି ରାଜ୍ୟ ମଧ୍ୟରୁ ୬ଟି ରହିଛି ସ୍ୱିଙ୍ଗ ଷ୍ଟେଟ । ଅର୍ଥାତ ଏସବୁ ରାଜ୍ୟରେ ପରିଣାମ ଯାହା ସପକ୍ଷରେ ଯିବ, ସିଏ ହ୍ୱାଇଟ ହାଉସର ଧ୍ୱଜାଧାରୀ ହେବା ଏକ ପ୍ରକାର ନିଶ୍ଚିତ । ଆଉ ବର୍ତମାନ ପର୍ଯ୍ୟନ୍ତ ଆସିଥିବା ପରିଣାମ ଅନୁସାରେ ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡା, ଓହିଓ, ପେନସିଲଭାନିଆ, ମିଚିଗାନ, ୱିସକନସିନ ଭଳି ରାଜ୍ୟରେ ଆଗରେ ଅଛନ୍ତି । ସେହିଭଳି ଜୋ ବାଇଡେନ୍ କେବଳ ଆରିଜୋନାରେ ଆଗରେ ରହିଛନ୍ତି ।କୁହାଯାଉଛି ଏସବୁ ରାଜ୍ୟରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୫ରୁ ୧୦ ପ୍ରତିଶତ ଭୋଟରେ ଆଗରେ ରହିଛନ୍ତି । ଏବଂ ଆମେରିକା ନିର୍ବାଚନୀ ନିୟମ ଅନୁସାରେ କୌଣସି ରାଜ୍ୟରେ ଗୋଟିଏ ବି ଭୋଟରେ ରହୁଥିବା ଦଳକୁ ପୂରା ରାଜ୍ୟର ଭୋଟ ଯାଇଥାଏ । ତେଣୁ ଚୂଡାନ୍ତ ଫଳାଫଳ କାହା ସପକ୍ଷରେ ଯିବ ଆକଳନ କରିବା ମୁସ୍କିଲ ।