ମିଳିଲା ସ୍ୱିଗି ବୟର ସନ୍ଧାନ : ପ୍ରେମ ପାଇଁ ରଚିଥିଲା ଅପହରଣର ନାଟକ !

ବାହାର ରାଜ୍ୟକୁ ପଳାଇଯାଇଥିବାରୁ ଧରିବା ପାଇଁ ଯାଇଛି ପୋଲିସ ଟିମ୍; ଏପଟେ କୋଣାର୍କ ଥାନାରେ ଅଭିଯୋଗ କଲେ ଯୁବତୀଙ୍କ ପରିବାର ଲୋକ

7,454

କନକ ବ୍ୟୁରୋ : ମିଳିଲା ସ୍ୱିଗି ବୟର ସନ୍ଧାନ । ପ୍ରେମ ପାଇଁ ରଚିଥିଲା ଅପହରଣ ନାଟକ । ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲା । ରାଜ୍ୟ ବାହାରେ ଅଟକ ରଖିଛି ପୋଲିସ । ଖୁବଶୀଘ୍ର ସ୍ୱିଗି ବୟକୁ ଓଡିଶା ଅଣାଯିବ । ନିଜେ ରଚିଥିଲା ଅପହରଣର ଷଡଯନ୍ତ୍ର । ସିସିଟିଭିରୁ ଧରାପଡିଲା ଅପହରଣର ନାଟକ । ଏନେଇ ବିସ୍ତୃତ ସୂଚନା ଦେବ ପୋଲିସ ।

ସୂଚନାନୁସାରେ, କଲେଜରେ ପଢ଼ୁଥିବାବେଳେ ଚିକୁନ୍ ଦୁଇଜଣ ଯୁବତୀଙ୍କୁ ଏକା ସାଙ୍ଗରେ ପ୍ରେମ କରୁଥିଲା । ଯୁବତୀ ଦ୍ବୟ ଗୋଟିଏ କଲେଜରେ ଏକା ଶ୍ରେଣୀରେ ପାଠ ପଢ଼ୁଥିଲେ। ଆଉ ବର୍ଷକ ତଳେ ଚିକୁନ୍ ସେମାନଙ୍କ ମଧ୍ୟରୁ ଜଣେ ଅହଲ୍ୟାଙ୍କୁ ପ୍ରେମ ବିବାହ କରିଥିଲା। ବିବାହ ପରେ ଚିକୁନ ଅହଲ୍ୟାଙ୍କ ସହ ଧଉଳି ଥାନା ଅଧୀନ ବିଜୟ ବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲା । ତେବେ ଚିକୁନ ପତ୍ନୀ ସହ ଏଠାରେ ରହୁଥିଲେ ମଧ୍ୟ ଗୋପ ଥାନା ବେଦପୁର ଗ୍ରାମରେ ରହୁଥିବା ଅହଲ୍ୟାଙ୍କ ସାଙ୍ଗ ତଥା ତା’ର ଦ୍ବିତୀୟ ପ୍ରେମିକାଙ୍କ ସହ ସଂପର୍କ ରଖିଥିଲା । ଅହଲ୍ୟା ଓ ତାଙ୍କ ଘର ଲୋକ ଏହା ଜାଣିବା ପରେ ବିରୋଧ ମଧ୍ୟ କରିଥିଲେ । କିନ୍ତୁ ଏହାର କିଛି ପ୍ରଭାବ ପଡ଼ି ନ ଥିଲା ଚିକୁନ୍ ଉପରେ । ପ୍ରେମିକାକୁ ନେଇ ପଳାଇବା‌ ପାଇଁ ଯୋଜନା କରିବା ପରେ ସ୍ତ୍ରୀ ଏବଂ ତାଙ୍କ ଘର ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଚିକୁନ ଅପହରଣର ଏଭଳି ଏକ ମିଛ ନାଟକ ରଚିଥିଲା । ଯୋଜନା ଅନୁଯାୟୀ ଗତ ୧୧ ତାରିଖ ଦିନ ଚିକୁନ ସୁନ୍ଦରପଦାରେ ଜଣେ ଗ୍ରାହକଙ୍କ ଖାଦ୍ୟ ଅର୍ଡର ଅଛି ବୋଲି ଘରେ ପତ୍ନୀଙ୍କୁ କହି ଯାଇଥିଲା ।

ଆଉ ରାତି ପ୍ରାୟ ୯ଟା ୪୫ରେ ଚିକୁନ ପତ୍ନୀଙ୍କୁ ଫୋନ୍ କରି କହିଥିଲା ଯେ ବାଟରେ ୪/୫ ଜଣ ଅସାମାଜିକ ଯୁବକ ବସିଛନ୍ତି, ମୋତେ ଡର ଲାଗୁଛି । ଏହାର କିଛି ସମୟ ପରେ ଅହଲ୍ୟାଙ୍କ ମୋବାଇଲ ଫୋନକୁ ତା’କୁ ଛୁରି ଭୁସି ଅଟୋଡାଲାରେ ଅପହରଣ କରିନିଆଯାଉଛି ବୋଲି ହ୍ବାଟ୍‌ସଆପ୍ ମେସେଜ୍ ପଠାଇଥିଲା । ଅପହରଣ କାହାଣୀକୁ ଅଧିକ ବିଶ୍ବାସଯୋଗ୍ୟ କରିବା ଲାଗି ସେ ତା’ର ଭାଇକୁ ଲିଙ୍ଗିପୁର ନିକଟରେ ଥିବା ନଦୀବନ୍ଧ ନିକଟକୁ ପଠାଇବାକୁ ‌କହିଥିଲା; ଯେଉଁଠି ସେ ଏକ ନିକାଞ୍ଚନ ରାସ୍ତାରେ ମିଛ କ୍ରାଇମ୍ ସ୍ପଟ୍ ତିଆରି କରିଥିଲା । ପିନ୍ଧିଥିବା ଗଞ୍ଜି ଚିରି ଦେଇଥିଲା, ଛୁରି, ପାଣିବୋତଲ, ମନିପର୍ସ ପକାଇଥିଲା । ପାଖରେ ୩୦ ହଜାର ଟଙ୍କା ଥିବାରୁ ଏଥିପାଇଁ ଦୁର୍ବୃତ୍ତ ଅପହରଣ କରିଥାଇ ପାରନ୍ତି ବୋଲି ପରିବାର ଲୋକଙ୍କୁ ଜଣାଇବାକୁ ଚାହିଁଥିଲା । ଏ ନେଇ ଧଉଳି ଥାନାରେ ଅପହରଣ ମାମଲା ରୁଜୁ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତନାଘନା ଆରମ୍ଭ କରିଥିଲା । କିନ୍ତୁ ଆରମ୍ଭରୁ ପୁଲିସର ସନ୍ଦେହ ହୋଇଥିଲା ।

ଗୋପ ଅଞ୍ଚଳର ଯୁବତୀ ନିଖୋଜ ନେଇ ଚିକୁନ୍ ନାଁରେ ଯେଉଁ ଅଭିଯୋଗ ଆସିବା ପରେ ତାହାର ଖୋଳତାଡ଼ ଆରମ୍ଭ କରିଥିଲା ପୁଲିସ । ଏପଟେ ଚିକୁନ୍‌ର ବାଇକ୍‌ ମିଳୁ ନ ଥିବାରୁ ପୁଲିସ ଏହାର ସନ୍ଧାନରେ ଥିଲା । ଯଦି ଅପହର୍ତ୍ତାମାନେ ଚିକୁନ୍‌କୁ ଡାଲା ଅଟୋରେ ଅପହରଣ କଲେ ତାହେଲେ ବାଇକ୍ ଗଲା କୁଆଡ଼େ ? ପୁଲିସ ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ୍ ଛାନଭିନ୍ କରିଥିଲା । ଏପରିକି ଷ୍ଟେସନରେ ବିଭିନ୍ନ ଟ୍ରେନର ଯାତ୍ରୀଙ୍କ ତାଲିକା ମଧ୍ୟ ଯାଞ୍ଚ କରିଥିଲା । ୧୧ ତ‌ାରିଖ ରାତିରେ ପୁଲିସ ପୁରୀରୁ ହରିଦ୍ବାର ଯାଇଥିବା କଳିଙ୍ଗ-ଉତ୍କଳ ଏକ୍ସପ୍ରେସର ଯାତ୍ରୀଙ୍କ ତାଲିକାରୁ ଜାଣିବାକୁ ପାଇଥିଲା ଯେ ଚିକୁନ ଓ ସଂପୃକ୍ତ ଯୁବତୀ ଏହି ଟ୍ରେନ୍‌ରେ ରିଜର୍ଭେସନ ଟିକଟ କିଣି ଯାତ୍ରା କରିଛନ୍ତି । ତେଣୁ ପୁଲିସ ତୁରନ୍ତ ମଧ୍ୟପ୍ରଦେଶର କଟନୀ ଷ୍ଟେସନ ଆରପିଏଫ୍ ଇନ୍ସପେକ୍ଟରଙ୍କୁ ଫୋନ୍ କରି ଏ ସଂପର୍କରେ ଜଣାଇଥିଲା । ସେଠାରେ ଟ୍ରେନ୍ ପହଞ୍ଚିବାକୁ ଆଉ ଅଧଘଣ୍ଟାଏ ସମୟ ଥିଲା । କମିସନରେଟ ପୁଲିସ ଠାରୁ ଖବର ପାଇବା ପରେ କଟନୀ ଷ୍ଟେସନ ଆରପିଏଫ୍ ଟିମ୍ ଟ୍ରେନରୁ ଚିକୁନ୍ ଓ ତାର ପ୍ରେମିକାକୁ ଧରିବାରେ ସକ୍ଷମ ହୋଇଥିଲା ।

ଏପ‌େଟେ ଧଉଳି ଥାନା ପୁଲିସ ଚିକୁନ ଅପହରଣ ମାମଲାର ତନାଘନା ଆରମ୍ଭ କରିଥିଲା, ସେପଟେ ଗୋପ ଥାନାରେ ଜଣେ ଯୁବତୀ ହଠାତ୍ ନିଖୋଜ ହୋଇ ଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ନିଖୋଜ ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଝିଅ ଅପରାହ୍ନ ୪ଟାରେ ଖୁଦୁରୁକୁଣୀ ପୂଜା କରିବାକୁ ଯାଇଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ଘରକୁ ଫେରିବା କଥା । କିନ୍ତୁ ଘରକୁ ଫେରି ନ ଥିଲା । ଏ ନେଇ ସିଧାସଳଖ ପତିତପାବନ ଓରଫ୍ ଚିକୁନ୍ ନାଁରେ ଅଭିଯୋଗ ଦିଆଯାଇଥିଲା । ତେଣୁ ପୁଲିସ ପାଇଁ ଏହା ବଡ଼ ସୁରାକ୍ ପାଲଟିଥିଲା । ତଦନ୍ତକାରୀ ଟିମ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରିବାରୁ ଜଣା ପଡ଼ିଥିଲା ଯେ ଚିକୁନ୍ ସୁନ୍ଦରପଦାକୁ ଖାଦ୍ୟ ହୋମ୍ ଡେଲିଭରି ନେଇ ନୁହେଁ; ବରଂ ବାଇକ୍ ଧରି ଗୋପ ପଳାଇଥିଲା । ସେଠାରୁ ପ୍ରେମିକାଙ୍କୁ ବାଇକ୍‌ରେ ଧରି ଫେରିଥିଲା ।