ରାଜଧାନୀରେ Swiggy ଡ଼େଲିଭରି ବୟଙ୍କୁ ଅପହରଣ ଅଭିଯୋଗ । ଶେଷ ଫୋନ୍ କଲକୁ ନେଇ ଚାଞ୍ଚଲ୍ୟ…

837

କନକ ବ୍ୟୁରୋ: ଧନ ଭାଇକୁ କହ ମୋତେ କିଛି ଲୋକ ଉତ୍ତରାଠି ଛୁରି ଭୂଷୀ ଦେଇଛନ୍ତି । ମୁଁ ଉତ୍ତରା ନୂଆଗାଁ ବ୍ରିଜ୍ ଏପଟେ ଅଛି, ମରିବି କି ବଞ୍ଚିବି ଜାଣିନି । ଭାଇକୁ କହ ଏହି ଲୋକେସନରେ ଆସିବ । ମୁଁ ଅଟୋରେ ଶୋଇଛି । ମୋ ଫୋନ୍ ନେଇଗଲେ ମୋ ପଇସା ନେଇଗଲେ । ଏମିତି କିଛି ବିକଳରେ ଫୋନ୍ କରି ନିଜ ସ୍ତ୍ରୀକୁ କହୁଛନ୍ତି ସ୍ୱିଗୀ ଡେଲିଭରି ବୟ । ତେବେ ରାଜଧାନୀରେ ସ୍ୱିଗୀ ଡେଲିଭରି ବଏଙ୍କୁ ଅପହରଣ ଅଭିଯୋଗ ପରେ ଏବେ ଏହି ଫୋନ୍ କଲକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

ଗତକାଲି ରାତିି ୧୦ ଟା ବେଳେ ପତିତପାବନଙ୍କୁ କିଛି ଦୁର୍ବୁତ ମାଡ ମାରି ଅପହରଣ କରିନେଇଥିବା ନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି । ଏପଟେ ଦୟା ନଦୀ ବ୍ରିଜ୍ ଉପରୁ ଚପଲ, ପର୍ସ ଓ ଛୁରୀ ପଡିଥିବା ଦେଖିବାକୁ ମିଳିଛି । ପତିତପାବନଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ରାତି ୧୦ଟା ପରେ ପତିତପାବନ ଅନ୍ୟ ଏକ ଫୋନ୍ ନମ୍ବରରୁ ତାଙ୍କୁ ଫୋନ କରି ଜଣାଇଥିଲେ ଯେ ତାଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ମୋବାଇଲ ଓ ଟଙ୍କା ନେଇ ଯାଇଛନ୍ତି ଦୁର୍ବୁତ ।

ସବୁଠାରୁ ବଡ଼କଥା ହେଲା, ଏହି ଫୋନ୍ କଲ୍ ପରେ ପରେ ପରିବାର ଲୋକ ଘଟଣା ସ୍ଥଳକୁ ଯାଇ ଖୋଜାଖୋଳି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପତିତପାବନ ପୃଷ୍ଟିଙ୍କ କିଛି ପତ୍ତା ମିଳିନାହିଁ । ତେବେ ସେ ଯେଉଁ ଫୋନ ନମ୍ବରରୁ ଗତକାଲି ଫୋନ କରିଥିଲେ ଉକ୍ତ ନମ୍ବର ମଧ୍ୟ ବନ୍ଦ ରହିଛି । ପୁଲିସକୁ ଏବେ ଏହି ଫୋନ୍ କଲରୁ କିଛି ସୁରାକ ମିଳିବ କି? କେଉଁଠି ଅଛନ୍ତି ପତିତପାବନ, କେମିତି ଅଛନ୍ତି? ତାହା ଏବେ ବି ସମସ୍ତଙ୍କୁ ଅଜଣା ।