ପର୍ବକୁ ପଛ କରି ରାସ୍ତାରେ ସାଇକେଲ ଗଡ଼ାଉଛନ୍ତି ସ୍ୱିଗି ବୟ। ହୋଲି ପାଇଁ କାମ ବନ୍ଦ କଲେ ଉପାସ ରହିବ ପେଟ।

ପର୍ବକୁ ପଛ କରି ରାସ୍ତାରେ ସାଇକେଲ ଗଡ଼ାଉଛନ୍ତି ସ୍ୱିଗି ବୟ। ହୋଲି ପାଇଁ କାମ ବନ୍ଦ କଲେ ଉପାସ ରହିବ ପେଟ।

କନକ ବ୍ୟୁରୋ: ହୋଲିର ଉତ୍ସାହ ନାହିଁ କି’ ରଙ୍ଗ ଖେଳୁ ନାହାଁନ୍ତି ବୋଲି ଦୁଃଖ ନାହିଁ । ପିଠିରେ ଖାଦ୍ୟ ବ୍ୟାଗ ଧରି ସାଇକେଲରେ ଆଗକୁ ବଢୁଛନ୍ତି ସଞ୍ଜୟ । ଯିବାକୁ ହେବ ଭୁବନେଶ୍ୱର ୟୁନିଟ-୪ରୁ ନୟାପଲ୍ଲୀ । ଠିକ୍ ସମୟରେ ଫୁଡ୍ ଡେଲିଭରି ନକଲେ ଅସୁବିଧା । ଫୁଡ୍ ଡେଲିଭରି ବୟ ସଞ୍ଜୟ ଭୋଇ, ଗ୍ରାଜୁଏସନ୍ କରୁଛନ୍ତି । ନିଜ ଅର୍ଥରେ ନିଜେ ପାଠ ପଢ଼ିବା ଏବଂ ସ୍ୱାବଲମ୍ବୀ ହେବାର ଲକ୍ଷ୍ୟ, ତାଙ୍କୁ ଦିନରେ ଲୁଗା ଦୋକାନରେ ସେଲ୍ସ ବୟ ଏବଂ ସଞ୍ଜରେ ଫୁଡ୍ ଡେଲିଭରି ବୟ ସଜାଇଦିଏ । ହୋଲିରେ ଲୁଗା ଦୋକାନ ବନ୍ଦ ଥିବାରୁ ଆଜି ସେ ଫୁଲଟାଇମ୍୍ ଡେଲିଭରି ବୟ । ଗୋଟିଏ ହୋଟେଲରୁ ଆଉ ଗୋଟିଏ ହୋଟେଲ । ଗ୍ରାହକଙ୍କ ପସନ୍ଦ ଅନୁସାରେ ଖାଦ୍ୟ ଧରି ପହଞ୍ଚିଯାଉଛନ୍ତି । ସଞ୍ଜୟଙ୍କ ଭଳି ଅନେକ ଫୁଡ ଡେଲିଭରି ବୟଙ୍କ ସମାନ ଲକ୍ଷ୍ୟ । ଦି ପଇସା ଅଧିକ ରୋଜଗାର କରିବା ପାଇଁ ଏମାନେ ହୋଲିକୁ ଭୁଲିଯାଇଛନ୍ତି ।

ହୋଲିର ଚିତ୍ର ସାଉଁଟୁ ସାଉଁଟୁ ଭୁବନେଶ୍ୱର କ୍ୟାପିଟଲ ହସ୍ପିଟାଲ ଅଞ୍ଚଳରେ ଛିଡା ହୋଇଥିବା ୧୦୮ ଆମ୍ବୁଲାନ୍ସ ଉପରେ ପଡିଥିଲା ଆମ କ୍ୟାମେରା ଟିମର ନଜର । ସବୁଦିନ ଭଳି ଆଜି ବି ୧୦୮ ଆମ୍ବୁଲାନ୍ସର କର୍ମଚାରୀମାନେ ବ୍ୟସ୍ତ ଥିଲେ । ହୋଲିରେ ଅନେକ ଅଘଟଣ ଘଟିଥିବାରୁ ୧୦୮ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ଟିକେ ବି ଫୁରସତ ନଥିଲା । ସମାନ ଅବସ୍ଥା ଥିଲା ଡାକ୍ତରଖାନାରେ କାର୍ୟରତ ଥିବା ନର୍ସମାନଙ୍କର । ରୋଗୀ ସେବାରେ ହିଁ ବିତିଥିଲା ହୋଲି ଉତ୍ସବ । ରଙ୍ଗ ବୋଳିବାକୁ ବି ନଥିଲା ସମୟ ।

କାର୍ଯ୍ୟରତ ପୋଲିସ ହୁଅନ୍ତୁ ବା ଡାକ୍ତରଖାନାରେ ନିୟୋଜିତ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀ । ସଭିଏଁ ହୋଲିକୁ ଭୁଲି ନିଜ କର୍ତବ୍ୟରେ ବ୍ୟସ୍ତ । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ଏହି କର୍ମଚାରୀମାନେ ଅନ୍ୟର ସେବା ପାଇଁ ନିଜର ଖୁସିକୁ ଭୁଲିଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe