ବଲିଡଉରେ ନୁଆ ମୁହଁ । ହରର ମୁଭିରେ ଶ୍ୱେତା ତିୱାରୀଙ୍କ ଝିଅ ପଲକଙ୍କ ଡେବ୍ୟୁ

128

କନକ ବ୍ୟୁରୋ: ନିଜ ଅଭିନୀତ ଆଗାମୀ ଫିଲ୍ମ ‘ରୋଜି ଦ ସେଫରନ୍ ଚାପ୍ଟର’ର ପ୍ରଥମ ଲୁକ୍ ଜାରି କରିଛନ୍ତି ଅଭିନେତା ଅରବାଜ୍ ଖାନ୍ । ଏହି ଫିଲ୍ମରେ ଅରବାଜ୍ ଏକ ପୋଲିସ କର୍ମୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ମିଡିଆ ରିପୋର୍ଟ ମୁତାବକ, ସତ୍ୟ ଘଟଣା ଉପରେ ଅଧାରିତ ଏହି ଫିଲ୍ମରେ ଦେଖାଦେବେ ନବାଗତା ପଲକ ତିୱାରୀ । ନିକଟରେ ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଫିଲ୍ମର ନିର୍ମାତା ।

 

‘ରୋଜି ଦ ସେଫରନ୍ ଚାପ୍ଟର’ ୨୦୨୨ ଜାନୁଆରୀ ୧୪ତାରିଖ ମକର ସଂକ୍ରାନ୍ତି ଅବସରରେ ରିଲିଜ୍ ହେବ ।ଏହି ଫିଲ୍ମ ଗୁରୁଗ୍ରାମର ଏକ କଲ ସେଣ୍ଟରରେ କାମ କରୁଥିବା ଝିଅ ରୋଜିଙ୍କ ହଠାତ୍ ନିଖୋଜ ହୋଇଯିବା କାହାଣୀ ଉପରେ ଆଧାରିତ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛତି ଶ୍ୱେତା ତିୱରୀଙ୍କ ଝିଅ ପଲକ ତିୱାରୀ । ପଲକ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ବଲିଉଡରେ କୌଣସି ହରର ମୁଭିରୁ କରିଅର ଆରମ୍ଭ କରିବାକୁ ଚାହୁଁଥିଲେ । ଏହାସହ ଏହି ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବାରୁ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ହଁ ଭରିଥିଲେ । ବିଶାଲ ରଂଜନ ମିଶ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ପ୍ରେରଣା ବି ଅରୋରାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ପଲକଙ୍କ ସହ ଅଛନ୍ତି ବିବେକ ଓବରୟ , ତନିଷା ମୁଖାର୍ଜୀ ଓ ମଲ୍ଲିକା ସେରାୱତଙ୍କ ପରି ଅଭିନେତ୍ରୀ ।

ଫିଲ୍ମର ଏକ ଟିଜରରେ ନଜର ଆସିଛନ୍ତି ଅରବାଜ୍ ଖାନ୍ । ଏହି ମୁଭିରେ ପ୍ରଥମେ ତାଙ୍କୁ ଏକ ଘରେ ପ୍ରବେଶ କରୁଥିବାର ଦେଖାଯାଉଛି ଆଉ ସେଠି ସେ ଏପରି କିଛି ଦେଖନ୍ତି ଯାହାକୁ ଦେଖି ଏପରି ଭାବେ ଚମକି ଯାନ୍ତି ଯାହାକୁ ନେଇ ଦର୍ଶକଙ୍କ ମନରେ ସସପେନ୍ସ ଛାଡିଦିଅନ୍ତି । ତେବେ ଫିଲ୍ମ ବାବଦରେ ଅଧିକ କିଛି ତଥ୍ୟ ଦେଇନାହାଁନ୍ତି ଫିଲ୍ମ କ୍ର୍ୟୁ ମେମ୍ବର୍ସ ।