କନକ ବ୍ୟୁରୋ: ବାସି ମିଠା ଖାଇ ଆପଣଙ୍କ ପାଟି ଖଟା ହୋଇଯାଉଛି କି ? ମିଠା ଦୋକାନରୁ ମିଠା ଆଣିବା ପରେ ଆପଣ ପଶ୍ଚାତାପ କରୁଛନ୍ତି କି ? ତେବେ ଆସନ୍ତା ଅକ୍ଟୋବର ୧ ତାରିଖରୁ ଆପଣ ତାଜା ମିଠା ଖାଇପାରିବେ । ପୂଜା ପୂର୍ବରୁ ଖୋଲାରେ ବିକ୍ରି ହେଉଥିବା ମିଠାକୁ ନେଇ ବଡ ନିଷ୍ପତ୍ତି ନେଇଛି ଏଫଏସଏସଏଆଇ ବା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ । ଏଣିକି ବଜାରରେ ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାରୀ ଡେଟ୍ ମଧ୍ୟ ଜାଣିପାରିବେ ଗ୍ରାହକ ।
ଏଫଏସଏସଏଆଇର ନୂଆ ନିୟମ ଅନୁଯାୟୀ, ୧ ଅକ୍ଟୋବରରୁ ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାରୀ ଡେଟ୍ ବାବଦରେ ଦୋକାନୀ ଗ୍ରାହକଙ୍କୁ ଜଣାଇବେ । ବିକ୍ରି ପାଇଁ ମିଠା ରଖାଯାଉଥିବା ଆଉଟଲେଟରେ ସାମଗ୍ରୀର ବେଷ୍ଟ ବିଫୋର ଡେଟ ବା କେତେ ଦିନ ପାଇଁ ବ୍ୟବହାର ଉପଯୋଗୀ ହୋଇପାରିବ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ ଦୋକାନୀ ।
ଏହାଛଡ଼ା ବିଭିନ୍ନ ପ୍ରକାର ମିଠାର ବ୍ୟବହାର ଉପଯୋଗୀ ସମୟସୀମା ବାବଦରେ ଏଫଏସଏସଏଆଇର ୱେବସାଇଟରେ ମଧ୍ୟ ସୂଚନା ପାଇପାରିବେ ଗ୍ରାହକ । ପୂର୍ବରୁ ଖୋଲାରେ ବିକ୍ରି ହେଉଥିବା ମିଠା ବାବଦରେ ଖାଉଟିଙ୍କୁ କୌଣସି ସୂଚନା ଦେଉନଥିଲେ ଦୋକାନୀ । କିନ୍ତୁ ଅକ୍ଟୋବର ପହିଲାରୁ ଏ ବାବଦରେ ଖାଉଟି ପୂରା ତଥ୍ୟ ଜାଣିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/32-11.jpg)