ମିଠା ମକାଚାଷ ଦେଉଛି ରୋଜଗାର । ୧୦ ହଜାର ଟଙ୍କା ବିନିଯୋଗ କରି ୬୦ ହଜାର ଟଙ୍କା ଲାଭ ପାଉଛନ୍ତି ଚାଷୀ

126

କନକ ବ୍ୟୁରୋ : ସୁଇଟକର୍ଣ୍ଣ ବା ମିଠା ମକା, ଆଜିକାଲିର ଯୁବପିଢ଼ୀଙ୍କ ଏକ ପ୍ରକାର ପସନ୍ଦ ପାଲଟିଯାଇଛି । ସକାଳ ହେଉ କି ସଂଧ୍ୟା ଛୋଟପିଲାଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ୀ ଏହାକୁ ଖାଇବାକୁ ସମସ୍ତେ ପସନ୍ଦ କରୁଛନ୍ତି । ତେବେ ଏହି ସୁଇଟକର୍ଣ୍ଣ ବା ମିଠାମକା ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । ରାୟଗଡ଼ା ଜିଲ୍ଳାର ବହୁ ଚାଷୀ ଏହି ଚାଷ କରିଥାନ୍ତି । ଗୁଣୁପୁର ବ୍ଲକ ପ୍ରଧାନୀଗୁଡ଼ା ଗାଁର ଯୁବଚାଷୀ ରାଜେନ୍ଦ୍ର ନିମାଲୁ ଏହି ଚାଷ କରିଛନ୍ତି । ଏକର ପିଛା ୧୦ ହଜାର ଟଙ୍କା ଖର୍ଚ୍ଚ କରି ଏବେ ଲାଭ ପାଉଛନ୍ତି ଷାଠିଏ ହଜାରରୁ ଉର୍ଦ୍ଧ ଟଙ୍କା । ଗତ କିଛି ବର୍ଷ ହେବ ମିଠାମକା ଚାଷ କରି ରାଜେନ୍ଦ୍ର ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରିବାରେ ସହାୟକ ହୋଇପାରିଛନ୍ତି । ଉତ୍ପାଦିତ ଫସଲକୁ ଚାଷୀ ଜଣକ ବିକ୍ରି ବଟା ପାଇଁ ପାଖ ବଜାର ଉପରେ ନିର୍ଭର କରୁଥିବାବେଳେ ସ୍ଥାନୀୟ ଅଂଚଳର ବ୍ୟବସାୟୀମାନେ ମଧ୍ୟ ଏଠାକୁ ଆସି ମିଠାମକା ବିକ୍ରି କରିଥାନ୍ତି ।

ପୂର୍ବରୁ ଯୁବଚାଷୀ ଜଣକ ଧାନ ଚାଷ କରୁଥିଲେ । କିନ୍ତୁ ଧାନ ଚାଷରେ ଆଶାନୁରୂପ ଲାଭ ନହେବାରୁ ଚାଷୀ ଜଣକ ଧାନ ଚାଷରୁ ମୁହଁ ଫେରାଇଦେଇଥିଲେ । ପରେ କମ ଖର୍ଚ୍ଚରେ ଏବଂ କମ ସମୟରେ ଅମଳ ହେବା ଚାଷ ପ୍ରଣାଳୀକୁ ଆପଣାଇ ଆରମ୍ଭ କରିଥିଲେ ମିଠାମକା ଚାଷ । ରାଜେନ୍ଦ୍ର ଗୁଣୁପୁର ଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରୁ ମିଠା ମକାଚାଷ ପାଇଁ ତାଲିମ ଗ୍ରହଣ କରି ବର୍ତମାନ ନିଜର ୨ ହେକ୍ଟର ଜମିରେ ଜୈବିକ ଓ ରାସାୟନିକ ପଦ୍ଧତିରେ ମିଠାମକା ଚାଷ କରିଛନ୍ତି । ଋତୁ ଅନୁସାରେ ଚାଷୀ ଜଣକ ନିଜ କ୍ଷେତରୁ ବାର୍ଷିକ ୩ ଥର ଫସଲ ଉତ୍ପାଦନ କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିବାରେ ସକ୍ଷମ ହୋଇପାରିଛନ୍ତି ।

ଯୁବଚାଷୀଙ୍କ ଆର୍ଥିକସ୍ଥିତି ସୁଦୃଢ଼ କରିବା ପାଇଁ ସହଯୋଗର ହାତ ବଢ଼ାଇଛି ଗୁଣୁପୁର ଠାରେ ଥିବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗର କମିଶନ । ଜୀବିକା ମିଶନ ତରଫରୁ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇ ଦିଆଯାଉଛି । ଆଗାମୀ ଦିନରେ ଏହି ଅଂଚଳରେ ଏକ ପ୍ରୋସେସିଂ ୟୁନିଟ ଖୋଲାଯିବାର ଲକ୍ଷ୍ୟ ରହିଥିବା କହିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ଲୋକନାଥ ଦଳବେହେରା ।

କେବଳ ପାରମ୍ପରିକ ପଦ୍ଧତିରେ ନୁହେଁ । ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଅଣପାରମ୍ପରିକ ପଦ୍ଧତିରେ ବିଭିନ୍ନ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ ରୋଜଗାରକ୍ଷମ କରିହେବ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଯୁବଚାଷୀ ରାଜେନ୍ଦ୍ର ନିମାଲୁ । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ।