ପରିଶ୍ରମ ହିଁ ସଫଳତାର ଚାବିକାଠି । ଯେଉଁଠି ଥିଲେ ସଫେଇ କର୍ମଚାରୀ, ସେହି ପଞ୍ଚାୟତ ଅଫିସର ହେଲେ ସଭାପତି 

257

କନକ ବ୍ୟୁରୋ : କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି । ଏହି କଥାକୁ ସତ କରି ଦେଖାଇଛନ୍ତି କେରଳର ଜଣେ ମହିଳା । ତାଙ୍କ କାହାଣୀ ଶୁଣିଲେ ଆପଣ ବି ପାଇବେ ପ୍ରେରଣା । ଆଉ ଜୀବନରେ ଆଗକୁ ବଢିବାରେ ଆପଣଙ୍କର ଯେଉଁ ସ୍ୱପ୍ନ ଅଛି ତାକୁ ମଧ୍ୟ ଖୁରାକ ଯୋଗାଇବ ଏହି ମହିଳାଙ୍କ କାହାଣୀ । କେରଳର ଆନନ୍ଦବଲ୍ଲି ନାମକ ଜଣେ ମହିଳା । ଦିନେ ଯେଉଁଠି ସେ ଝାଡୁ ଲଗାଉଥିଲେ ଆଜି ସେହି ପଞ୍ଚାୟତ ଅଫିସର ହୋଇଛନ୍ତି ସେ ଅଧ୍ୟକ୍ଷ । ତାଙ୍କର ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ଗତ ୧୦ ବର୍ଷ ହୋଇଯିବ ଆନନ୍ଦବଲ୍ଲି ସେହି ପଞ୍ଚାୟତ ଅଫିସରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ । ତାଙ୍କ କାମ ଥିଲା ବୈଠକରେ ଅଫିସରମାନଙ୍କୁ ଚା ଦେବା ଓ ଅଫିସ ସଫା ରଖିବା । ହେଲେ ସମୟ କଡ ଲେଉଟେଇବା ପରେ ତାଙ୍କ ଜୀବନରେ ହଠାତ ହୋଇଗଲା ବଡ ପରିବର୍ତ୍ତନ । ଯେଉଁଠି ସେ ଦିନେ ଝାଡୁ ଲଗାଉଥିଲେ ଆଜି ସେହି ଅଫିସରେ ସେ ହୋଇଛନ୍ତି ଅଧ୍ୟକ୍ଷ ।

ନିକଟରେ କେରଳରେ ହୋଇଥିବା ସିପିଆଇଏମ ନିର୍ବାଚନରେ ଆନନ୍ଦବଲ୍ଲି ୬୫୪ ଖଣ୍ଡ ଭୋଟରେ ବିଜୟ ହାସଲ କରିଥିଲେ । ତାଙ୍କୁ ଏସି, ଏସଟି ମହିଳା ସଂରକ୍ଷିତ ସିଟ ପାଇଁ ଏଠାରେ ପ୍ରାର୍ଥୀ କରାଯାଇଥିଲା । ଆଉ ତାଙ୍କ ଉପରେ ଦଳ ଯେଉଁ ବିଶ୍ୱାସ କରିଥିଲା । ବିଜୟୀ ହୋଇ ଦଳର ସେହି ବିଶ୍ୱାସକୁ ଜିତିଛନ୍ତି ଆନନ୍ଦବଲ୍ଲି ।

ଏନେଇ ଆନନ୍ଦବଲ୍ଲୀ କହିଛନ୍ତି, ଏହି ସଫଳତାରେ ମୁଁ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ଅଛି । ମତେ ଏତେ ବଡ ଦାୟିତ୍ୱ ମିଳିବ ମୁଁ କେବେ ହେଲେ ଭାବି ନଥିଲି । ମୋ ଉପରେ ବିଶ୍ୱାସ କରି ମତେ ଯେଉଁ ଦାୟିତ୍ୱ ଦିଆଯାଇଛି । ମୁଁ ତାକୁ ସଫଳତାର ସହ ସଂପନ୍ନ କରିବି ।

ଆନନ୍ଦବଲ୍ଲୀ ଯେଉଁ ପଞ୍ଚୟାତ ଅଫିସରେ ଅଧ୍ୟକ୍ଷ ଅଛନ୍ତି, ୨୦୧୧ରେ ସେ ସେହି ପଞ୍ଚୟାତ ଅଫିସରେ ଅସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ । ସେତେବେଳେ ସେ ମାତ୍ର ୨ ହଜାର ଟଙ୍କା ଦରମା ପାଉଥିଲେ । ତାଙ୍କର ପରିଶ୍ରମ ଆଉ ଇଚ୍ଛା ଶକ୍ତି ଯୋଗୁଁ ଏବେ ସେ ସେହି ପଞ୍ଚୟାତ ଅଫିସର ହୋଇପାରିଛନ୍ତି ଅଧ୍ୟକ୍ଷ ।