୩୫ କକ୍ଷରେ ପ୍ରସ୍ତୁତ ହୋଇଥିବା ଗୋଟିଏ ଏଭଳି ହୋଟେଲ୍ , ଯାହା ପ୍ରତିବର୍ଷ ପ୍ରସ୍ତୁତ ହୁଏ ଏବଂ କିଛି ମାସ ପରେ ନଦୀରେ ବହିଯାଏ ।

222

ସାଧାରଣତଃ ହୋଟେଲର ନିର୍ମାଣ କରାଯିବା ସମୟରେ ଏହା କିପରି ମଜଭୂତ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ । ମାତ୍ର ଦୁନିଆରେ ଏପରି ଏକ ହୋଟେଲ ଅଛି, ଯାହା ପ୍ରତ୍ୟେକ ବର୍ଷ ନିର୍ମାଣ କରାଯାଏ ଓ ଏହା ନଦୀରେ ଭାସିଯାଏ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ , ଏଭଳି ଅଦ୍ୱିତୀୟ ହୋଟେଲ ସ୍ୱିଡ଼େନରେ ରହିଛି । ଏହା ଆଇସି ହୋଟେଲ ବା ବରଫ ହୋଟେଲ ନାମରେ ଜଣାଶୁଣା ।

ସ୍ୱିଡ଼େନର ଏହି ବରଫ ହୋଟେଲକୁ ପ୍ରତ୍ୟେକ ବର୍ଷ ଶୀତ ଦିନେ ନିର୍ମାଣ କରାଯାଏ । ଏହି ହୋଟେଲ ନିର୍ମାଣ ପରମ୍ପରା ୧୯୮୯ ଠାରୁ ଆରମ୍ଭ ହୋଇଛି ବୋଲି କୁହାଯାଏ । ହୋଟେଲକୁ ଟୋରନେ ନଦୀ କୂଳରେ ନିର୍ମାଣ କରାଯାଏ । ଏହାକୁ ନିର୍ମାଣ କରିବାକୁ ନଦୀରୁ ପ୍ରାୟ ୨୫୦୦ ଟନ୍ ବରଫ କଢାଯାଇଥାଏ ।

ଅକ୍ଟୋବର ମାସରୁ ଏହି ହୋଟେଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହାକୁ ନିର୍ମାଣ କରିବା ପାଇଁ ଦୁନିଆରୁ ବହୁ ଶିଳ୍ପୀ ଆସିଥାଆନ୍ତି । ପର୍ଯ୍ୟଟକମାନେ ରହିବା ପାଇଁ ଏହି ହୋଟେଲରେ ବହୁ କକ୍ଷ ମଧ୍ୟ ନିର୍ମାଣ କରାଯାଏ । ଚଳିତ ବର୍ଷ ଏହି ହୋଟେଲରେ ୩୫ କକ୍ଷ ତିଆରି ହୋଇଛି ।

ଏହି ହୋଟେଲର ବାହାର ଓ ଭିତର ଉଭୟର ଦୃଶ୍ୟ ଖୁବ ମନୋଲୋଭା । ମେ ମାସ ଯାଏଁ ଏହି ହୋଟେଲ ରହିଥାଏ । ଏହାପରେ ବରଫ ତରଳିବାକୁ ଆରମ୍ଭ ହୋଇଥାଏ । ତେଣୁ ହୋଟେଲକୁ ବନ୍ଦ କରାଯାଇଥାଏ । ହୋଟେଲରେ ଗୋଟିଏ ରାତି ରହିବା ପାଇଁ ଭଡ଼ା ୧୭ ହଜାରରୁ ଆରମ୍ଭ ହୋଇ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ହୋଟେଲକୁ ଇକୋ ଫ୍ରେଣ୍ଡଲୀ ହୋଟେଲ ଅର୍ଥାତ ପରିବେଶ ପାଇଁ ଅନୁକୂଳ ବୋଲି କୁହାଯାଏ । ଏଠାରେ କେବଳ ସୌରଶକ୍ତିରେ ଚାଳିତ ହେଉଥିବା ଉପକରଣ ବ୍ୟବହାର କରାଯାଏ। ଏହି ହୋଟେଲର ଅନ୍ୟ ସ୍ୱତନ୍ତ୍ରତା ହେଉଛି ଏଠାରେ ପର୍ଯ୍ୟଟକ ପାନୀୟ ଦ୍ରବ୍ୟକୁ ପିଇବା ପାଇଁ ବରଫରେ ପ୍ରସ୍ତୁତ ଗ୍ଲାସକୁ ବ୍ୟବହାର କରିଥାଆନ୍ତି । ପିଲାମାନଙ୍କ ପାଇଁ ମଧ୍ୟ ଏଠାରେ ସେମାନଙ୍କ ମନପସନ୍ଦର କ୍ରିଏଟିବ୍ ଯୋନ ତିଆରି ହୋଇଛି । ଯାହା ସେମାନଙ୍କୁ ଖୁବ ପସନ୍ଦ ଆସିଥାଏ ।