ଅସହାୟ ଅବସ୍ଥାରେ ଛାଡି ଦେଇଥିଲା ପରିବାର । ହେଲେ ବଦଳିଲା ଭାଗ୍ୟ, ଏବେ ସ୍ୱିଡେନ ଯିବ କୋରାପୁଟର କୁନିପୁଅ । ପୋଷ୍ୟ ସନ୍ତାନ ଭାବେ କୋଳେଇ ନେଲେ ବିଦେଶୀ ଦମ୍ପତି

108

କନକ ବ୍ୟୁରୋ: କୁନିପୁଅ ରାଜେନ୍ଦ୍ର ଏବେ ହୋଇଯାଇଛି ରାଜେନ୍ଦ୍ର ଥୋମାସ । ତାକୁ ପୋଷ୍ୟସନ୍ତାନ ଭାବେ କୋଳେଇ ନେଇଛନ୍ତି ସ୍ୱିଡେନର ଥୋମାସ୍ ଦମ୍ପତି । ଦୁନିଆକୁ ଚିହ୍ନି ନଥିବା ବେଳେ ପରିବାର ଯାହାକୁ ଅଲୋଡ଼ା କରି ଅସହାୟ ଭାବେ ଛାଡ଼ି ଦେଇଥିଲା, ତା’ର ଭାଗ୍ୟ ଏବେ ବଦଳି ଯାଇଛି । ପୁଣିଥରେ ରାଜେନ୍ଦ୍ରକୁ ମିଳି ଯାଇଛି ନୂଆ ବାପାମାଆ । ସେମାନଙ୍କ ସହ ସ୍ୱିଡେନ୍ ଚାଲିଯିବ ସେ । ତେବେ ରାଜେନ୍ଦ୍ରର ବିଦାୟ ବେଳାରେ ଭାବବିହ୍ୱଳ ହୋଇ ପଡିଥିଲେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଓ କେୟାରଟେକର ।

କୋରାପୁଟ ଜିଲ୍ଲା ଗୌଡ଼ଗୁଡ଼ା ସ୍ଥିତ ସ୍ୱତନ୍ତ୍ର ପୋଷ୍ୟସନ୍ତାନ ଗ୍ରହଣ ଅନୁଷ୍ଠାନରେ ରହୁଥିଲା ରାଜେନ୍ଦ୍ର । ଅତି ଗେହ୍ଲାରେ ବଢିଥିଲା । ତାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ପହଞ୍ଚିଥିଲେ ସ୍ୱିଡେନ୍ ନିବାସୀ କ୍ଲିଫୋର୍ଡ ଥୋମାସ୍ ଓ ତାଙ୍କ ପତ୍ନୀ ଚେରିଲି ଥୋମାସ୍ । ଆଇନ ଅନୁଯାୟୀ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ କୁନି ପୁଅକୁ ହସ୍ତାନ୍ତର କରିଛି ଜିଲ୍ଲା ପ୍ରଶାସନ ।

ଥୋମାସ୍ ଦମ୍ପତିଙ୍କର ପୂର୍ବରୁ ୨ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଭାରତରୁ ଚତୁର୍ଥ ସନ୍ତାନକୁ ପୋଷ୍ୟ ରୂପେ ଗ୍ରହଣ କରିବାକୁ ସେମାନେ ନିଷ୍ପତି ନେଇଥିଲେ । ଭାରତୀୟ ସଂସ୍କୃତି ଓ ଭାରତର ପରିବାର ବ୍ୟବସ୍ଥା ତାଙ୍କୁ ପ୍ରଭାବିତ କରି ଆସିଛି ବୋଲି କହିଛନ୍ତି କ୍ଲିଫୋର୍ଡ ଥୋମାସ୍ । ପରିବାରର ନୂଆ ସଦସ୍ୟକୁ ସାଙ୍ଗରେ ନେଇ ସ୍ୱଦେଶ ପ୍ରତ୍ୟାବର୍ତନ କରୁଥିବାରୁ ସେ ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି ।

ତେବେ ବଡ଼ ପରିବାରର ସ୍ୱପ୍ନ ସାକାର ହେବା ସହ ଭାରତ ସହ ସଂପର୍କ ସବୁଦିନ ପାଇଁ ରହିଲା ବୋଲି କହିଛନ୍ତି ଥୋମାସ ଦମ୍ପତି । ହସ୍ତାନ୍ତର ସମୟରେ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ବେଣୁଧର ଶବର, ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।