କନକ ବ୍ୟୁରୋ: ଉତ୍ତରପ୍ରଦେଶ ସରକାରରେ ଗୃହିଣୀରୁ ବିଧାୟକ ଓ ମନ୍ତ୍ରୀ ପଦ ପର୍ଯ୍ୟନ୍ତ ଯାତ୍ରା କରିଥିବା ଶ୍ୱାତି ସିଂହ ପୁଣିଥରେ ଚର୍ଚ୍ଚାରେ । ବଲିୟା ଆସନରୁ ବିଧାୟକ ହୋଇଥିବା ଦୟାଶଙ୍କର ସିଂହଙ୍କ ଠାରୁ ଛାଡପତ୍ର ପାଇଁ ପୁନର୍ବାର କୋର୍ଟରେ ଆବେଦନ କରିଛନ୍ତି । ଦୟାଶଙ୍କରଙ୍କ ବିରୋଧରେ ପୂର୍ବରୁ ଥିବା ଛାଡପତ୍ର ମାମଲା ପୁଣିଥରେ ଆରମ୍ଭ କରିବାକୁ କୋର୍ଟରେ ଅପିଲ କରିଛନ୍ତି ଶ୍ୱାତି ।
ଏପରି ଏକ ସମୟ ଥିଲା ଯେତେବେଳେ ଦୟାଶଙ୍କର ତଥା ପରିବାର ପାଇଁ ରାଜନୀତିରେ ଢାଲ ହୋଇ ଛିଡାହୋଇଥିଲେ ଶ୍ୱାତି । ହେଲେ ଏବେ ତାଙ୍କ ଠାରୁ ଛାଡପତ୍ର ଚାହୁଁଛନ୍ତି । ଏଥିପାଇଁ ଶ୍ୱାତି ୧୦ ବର୍ଷ ପୂର୍ବରୁ ପାରିବାରିକ ନ୍ୟାୟାଳୟରେ ଅପିଲ କରିଥିଲେ । ଏବେ ଏହି ମାମଲାକୁ ପୁଣିଥରେ ଆରମ୍ଭ କରିବାକୁ ଚାହୁଁଛନ୍ତି । ବିଧାୟକ ହେବା ପୂର୍ବରୁ ହିଁ ସ୍ୱାମୀ ଦୟାଶଙ୍କରଙ୍କ ସହ ତାଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।
ସୂଚନା ମୁତାବକ, ଶ୍ୱାତି ସିଂ ଓ ଦୟାଶଙ୍କର ସିଂଙ୍କ ମଧ୍ୟରେ ୨୦୦୮ରୁ ହିଁ ସମ୍ପର୍କ ଖରାପ ହେବାରେ ଲାଗିଥିଲା । ଏବଂ ଘଟଣା ଛାଡପତ୍ର ଯାଏଁ ପହଞ୍ଚିଥିଲା । ତେଣୁ ଛାଡପତ୍ର ପାଇଁ ୨୦୧୨ରେ ଶ୍ୱାତି ସିଂ ଲକ୍ଷେ୍ନø ପାରିବାରିକ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ନିଜର ପକ୍ଷ ରଖିବାକୁ ଦୟାଶଙ୍କରଙ୍କୁ କୋର୍ଟ ନୋଟିସ୍୍ ଜାରି କରିଥିଲେ । ଏହି ସମୟରେ ବହୁଜନସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀଙ୍କ ବିରୋଧରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଦୟାଶଙ୍କର । ଫଳରେ ତାଙ୍କୁ ଟାର୍ଗେଟ କରି ତାଙ୍କ ପତ୍ନୀ ଶ୍ୱାତି ସିଂ ଓ ଝିଅ ବିରୋଧରେ ମଧ୍ୟ ବାକ୍ୟବାଣ ପ୍ରୟୋଗ କରିଥିଲେ ବିଏସପି ନେତା । ହେଲେ ଏମାନଙ୍କୁ କଡା ଜବାବ ଦେଇଥିଲେ ଶ୍ୱାତି । ଏହି ସମୟରେ ଶ୍ୱାତିଙ୍କଠାରେ ସମ୍ଭାବନା ଦେଖିପାରିଥିଲା ବିଜେପି । ଫଳରେ ତାଙ୍କୁ ସିଧାସଳଖ ପ୍ରଦେଶ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା କରିଦେଇଥିଲା ବିଜେପି ।