ଗୁମର ଖୋଲିଲା ସ୍ୱାତୀ ମଲିୱାଲଙ୍କ ଏଫଆଇଆର । ଚାପୁଡା ସହ ଛାତି,ପେଟକୁ ଗୋଇଠା ମାରିଥିଲେ କେଜ୍ରିୱାଲଙ୍କ ସହଯୋଗୀ ବୈଭବ କୁମାର । ସେପଟେ କ୍ରେଜିୱାଲଙ୍କ ଇସ୍ତଫା ଦାବି କଲା ବିଜେପି ।

189

କନକବ୍ୟୁରୋ: ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବୈଭବ କୁମାର ଆପ ନେତ୍ରୀ ସ୍ୱାତୀ ମଲିୱାଲଙ୍କୁ ଖରାପ ବ୍ୟବହାର ଏବଂ ମାଡ ମାରିବାର ଚାରି ଦିନ ପରେ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସରେ ସ୍ୱାତୀ ମାଲୱାଲ ଦେଇଥିବା ଏଫଆଇଆରରେ ସେଦିନ କେଜ୍ରିୱାଲଙ୍କ ଅଫିସରେ କ’ଣ ଘଟିଥିଲା ତାର ଉଲ୍ଲେଖ କରିଛନ୍ତି । ସ୍ୱାତୀ ତାଙ୍କ ଏଫଆଇଆର ଲେଖିଛନ୍ତି , ଗତ ସୋମବାର ସେ କେଜ୍ରିୱାଲଙ୍କ ଅଫିସକୁ ଯିବା ପୂର୍ବରୁ ବୌଭବଙ୍କୁ କଲ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ପରେ ସେ କେଜିୱାଲଙ୍କ ଅଫିସରେ ପହଂଚିବା ପରେ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା ।

ଏହି ସମୟରେ ବୈଭବ ଆସି ତାଙ୍କୁ ଖରାପ ବ୍ୟବହାର କରିବା ସହ ତାଙ୍କୁ ଚାପୁଡା ମାରିଥିଲେ । ଏଥିସହ ତାଙ୍କ ଛାତି, ପେଟ ଆଦି ସମ୍ବେଦନଶୀଳ ଅଙ୍ଗକୁ ମାଡ ମାରିଥିଲେ । ଯାହାକୁ ନେଇ ଆପକୁ କଡା ସମାଲୋଚନା କରିବା ସହ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛି ବିଜେପି । ସ୍ୱାତୀ ତାଙ୍କ ଏଫଆଇଆରରେ ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ ସର୍ବସାଧାରଣରେ ସେପରି କିଛି କହିନାହାନ୍ତି । ଘଟଣାର ୪ ଦିନ ପରେ ତାଙ୍କ ସୋସିଆଲ ମିଡିଆ ଆକାଉଂଟ ଏକ୍ସରେ ପୋଷ୍ଟ କରି ସ୍ୱାତୀ ଲେଖିଛନ୍ତି, ମୋ ସହ ଯାହା ଘଟିଛି ତାହା ବହୁତ ଖରାପ ।

ଏନେଇ ଅଭିଯୋଗ କରିଛି, ପୁଲିସ କାଯ୍ୟାନୁଷ୍ଠାନ ନେବ । ଦେଶରେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଚାଲିଛି, ସ୍ୱାତୀ ମଲିୱାଲ ଗୁରୁତ୍ୱପୂର୍ଣ୍ଣ ନୁହେଁ. ଦେଶର ସମସ୍ୟା ଗୁରୁତ୍ୱପୂର୍ଣ୍ଣ । ତେବେ ବିଜେପି ଘଟଣାକୁ ରାଜନୀତି ନକରୁ ବୋଲି ନିବେଦନ କରିଛନ୍ତି ସ୍ୱାତୀ । ସେପଟେ ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହାକୁ ଆପର ଭିତିରି ସମସ୍ୟା କହିଥିବାରୁ ଏହାକୁ ବିଜେପି କଡା ସମାଲୋଚନା କରିଛି । ଦିଲ୍ଲୀ ମହିଳା କମିଶନ ପୂର୍ବତନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ନିକଟରେ ରାଜ୍ୟସଭାକୁ ପଠାଇଥିଲା ଆପ୍ । ଏହା ପରେ ସ୍ୱାତୀଙ୍କ ସମୟରେ ମହିଳା କମିଶନରେ ନିଯୁକ୍ତ ୨୦୦ରୁ ଅଧିକ ପଦବୀକୁ ରଦ୍ଦ କରିଥିଲେ ଦିଲ୍ଲୀ ରାଜ୍ୟପାଳ । ଆଉ ଏବେ ସ୍ୱାତୀଙ୍କୁ କେଜ୍ରିୱାଲଙ୍କ ସହ ସହଯୋଗୀ ମାଡ ମାରିବା, ଆଉ ଆପ୍ ଚୁପ ରହିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।