ସ୍ୱର୍ଗଦାରର ଯମରାଜ ! ବେଆଇନ ଜମିକୁ ସୁରକ୍ଷା ଦେବାପାଇଁ ଜବରଦଖଲକାରୀଙ୍କ ଆନ୍ଦୋଳନ

24

କନକ ବ୍ୟୁରୋ : ବେଆଇନ ଜମିକୁ ସୁରକ୍ଷା ଦେବାପାଇଁ ଜବରଦଖଲକାରୀଙ୍କ ଆନ୍ଦୋଳନ । ସ୍ୱର୍ଗଦ୍ୱାର ସଂପ୍ରସାରଣ ହେଲେ ବୁଡିଯିବ ବ୍ୟବସାୟ । ହଜାର ହଜାର ଲୋକଙ୍କ ଜୀବନ ଜୀବିକାକୁ ଆଳକରି ପ୍ରଶାସନର ନିଷ୍ପତିକୁ ବିରୋଧ । ସଂପ୍ରସାରଣ ନାଁରେ ସ୍ୱର୍ଗଦ୍ୱାର ଆଖପାଖରେ ଗଢିଉଠିଥିବା ବ୍ୟବସାୟ ପ୍ରତିଷ୍ଠାନ ନଭାଙ୍ଗିବାକୁ ଦାବି । ଏପରିକି ପୁରୀ ପୌର ପରିଷଦ ଉଠାଇଥିବା ଦ୍ୱିତୀୟ ସ୍ୱର୍ଗଦ୍ୱାର ପ୍ରସ୍ତାବ ସପକ୍ଷରେ ଯୁକ୍ତି ବାଢିଛି ସ୍ୱର୍ଗଦ୍ୱାର ବ୍ୟବସାୟୀ ସଂଘ ।

ସ୍ୱର୍ଗଦ୍ୱାରର ବିକାଶ ପାଇଁ ପୁରୀ ପୌର ପରିଷଦକୁ ଦିଆଯାଇଥିବା ୧ ଏକର ଜମିରୁ ୫୩୫ ଡେସିମିଲ ହଡପ କରିନେଇଛନ୍ତି ଅନେକ ପ୍ରଭାବଶାଳୀ ବ୍ୟକ୍ତି । ଏବେ ଜବରଦଖଲ ଜମି ଫେରାଇ ଆଣିବାକୁ ପ୍ରଶାସନର ପଦକ୍ଷେପରେ ପଶିଛ ଛନକା । ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପ୍ରଚ୍ଛଦ ପ୍ରରୋଚନାରେ ଆରମ୍ଭ ହୋଇଛି ଆନ୍ଦୋଳନ । ପ୍ରଶାସନ କିନ୍ତୁ ନିଜ ନିଷ୍ପତିରେ ଅଟଳ ।

ପୁରୀ ସର୍କିଟ ହାଉସରେ ତହସିଲଦାର ଦେଇଥିବା ଦସ୍ତାବିଜର ଯାଂଚ କରାଯାଉଛି । କେଉଁ ପ୍ରଭାବଶାଳୀ ବ୍ୟକ୍ତି କେଉଁ ଆଦେଶ ବଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ହଡପ କରିଛନ୍ତି ତାର ଖୋଳତାଡ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ୯୦ ବର୍ଷର ରେକର୍ଡ ଯାଂଚ ହୋଇଛି ।

ସେପଟେ କୋଟିକୋଟି ଓଡିଆଙ୍କ ଧର୍ମୀୟ ଭାବନା ସହ ଜଡିତ ସ୍ୱର୍ଗଦ୍ୱାରକୁ ନେଇ ବି ଆରମ୍ଭ ହୋଇଛି ରାଜନୀତି । ଦ୍ୱିତୀୟ ସ୍ୱର୍ଗଦ୍ୱାର ପରିବର୍ତେ, ଏହାର ସଂପ୍ରସାରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ବିଜେପି । ବର୍ତମାନର ପୁରୀ ବିଧାୟକ ତଥା ତତକାଳୀନ ନଗରପାଳ ମହେଶ୍ୱର ମହାନ୍ତିଙ୍କୁ କାଠଗଡାରେ ଛିଡା କରିଛି ଦଳ ।

ଜଗନ୍ନାଥଙ୍କ ଜମି ଜାଲିଆତି କରି ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ହାତେଇବା ପଛରେ ମହେଶ୍ୱର ମହାନ୍ତିଙ୍କ ଭୁମିକା ସନ୍ଦେହ ଘେରକୁ ଆସିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ଘଟଣାରୁ ସଂପୂର୍ଣ୍ଣ ହାତ ଝାଡି ଦେଇଛନ୍ତି ବର୍ତମାନର ବିଧାୟକ ।

ସ୍ୱର୍ଗଦ୍ୱାର ସଂପ୍ରସାରଣ ସପକ୍ଷ ଓ ବିପକ୍ଷରେ ପୁରୀରେ ଜୋରଦାର ହୋଇଛି ବିକ୍ଷୋଭ । ଆଉ ଏହାରି ଭିତରେ ପୁରୀ ଜିଲ୍ଲା ପ୍ରଶାସନ ଗଠନ କରିଥିବା ୧୦ ଜଣିଆ କମିଟି ମଧ୍ୟ ତନାଘନା ତଦନ୍ତ ଆରମ୍ଭ କରିଛି । ୭ଦିନ ଭିତରେ ରିପୋର୍ଟ ଆସିବା ପରେ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-