ସ୍ୱର୍ଗଦ୍ୱାରକୁ ଆଉ ନାହିଁ ନିଶୁଣି : ପୁରାଣ ବର୍ଣ୍ଣିତ ସ୍ଥାନରେ ଠିଆ ହୋଇଛି ଗେଷ୍ଟ ହାଉସ

101

କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ଜମି ହଡପ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ସାମ୍ନାକୁ ଆସୁଛି । ଜମି ଲୋଭି ମଣିଷ କେବଳ ଶ୍ମଶାନ ଜମିକୁ ନୁହେଁ ପୂଜାସ୍ଥଳୀକୁ ମଧ୍ୟ ହଡପ କରିନେଇଛନ୍ତି । ଶ୍ରୀମନ୍ଦିରଠାରୁ ଅଳ୍ପ ଦୂରରେ ରହିଛି ସ୍ୱର୍ଗକୁ ନିଶୁଣି । କିମ୍ବଦନ୍ତୀ ଅଛି ଶ୍ରୀକ୍ଷେତ୍ରର ଏହି ପବିତ୍ର ସ୍ଥାନ ଦେଇ ବିଭୀଷଣ ସ୍ୱର୍ଗରୁ ମହାପ୍ରଭୁଙ୍କ ବଡସିଂହାର ବେଶ ଦର୍ଶନ କରିବା ପାଇଁ ଆସୁଥିଲେ । ଏହି ସ୍ଥିତିବାନ ଜମିର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁ ରହିଥିବା ବେଳେ ଏବେ ସେଠାରେ ଛିଡା ହୋଇଛି ଆକାଶ ଗେଷ୍ଟ ହାଉସ । କେମିତି ଏହି ଜମି ଜବର ଦଖଲ ହେଲା ସେନେଇ ଉଠିଛି ପ୍ରଶ୍ନବାଚୀ ।

ମୌଜା – ପୁରୀ ବାଲିସାହି, ଖାତା ନଂ- ୮୨୮, ପ୍ଲଟ ନଂ- ୧୩୯୯, କିସମ- ଦେବସ୍ଥଳୀ,ବିବରଣୀ- ସ୍ୱର୍ଗଦ୍ୱାର ନିଶୁଣିି, ଜମି ପରିମାଣ – ୧୦ ଡେସିମିଲ୍ । କିନ୍ତୁ ଏଠି ରହିଛି ଏହି ବିଶାଳ ହୋଟେଲ । ଦେବସ୍ଥଳୀ ଭାବେ ଗଣା ହେଉଥିବା ଏହି ସ୍ଥାନରେ ଗଢିଉଠିଛି ଆକାଶ ଗେଷ୍ଟ ହାଉସ । ଶ୍ରୀମନ୍ଦିରଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏହି ଐତିହ୍ୟ ସ୍ମାରକୀ ସ୍ୱର୍ଗକୁ ସିଡି ଜମି ବି ଜବରଦଖଲ ହୋଇଛି । ସ୍ୱର୍ଗଦ୍ୱାର ଜମି ଜବର ଦଖଲ ନେଇ ଖୋଲତାଡ ଚାଲିଥିବା ବେଳେ କିମ୍ବଦନ୍ତୀ ବର୍ଣ୍ଣିତ ସ୍ୱର୍ଗକୁ ନିଶୁଣି ମଧ୍ୟ କବ୍ଜା ହୋଇଥିବା ଜଣାପଡିଛି । ୧୦ ଡେସିମିଲ ଜାଗା ଥିବା ବେଳେ ତାକୁ ସଂକୁଚିତ କରିଦେଇଛନ୍ତି ଜବରଦଖଲକାରୀ ।

ସେପଟେ ୧୦ ଜଣିଆ କମିଟି ତଦନ୍ତ ଜାରି ରଖିଛି । ବିଭିନ୍ନ ଜମିର ବିକ୍ରି କବଲା ଯାଂଚ ଚାଲିଥିବା ବେଳେ ଆଇନର ଦୁରୁପଯୋଗ ହୋଇଥିବା ନେଇ ସୂଚନା ମିଳିଥିବା ଜଣାପଡିଛି । ଏହି ବେଆଇନ କାରବାର ନେଇ ଅଧିକ ଖୋଲତାଡ କରୁଛି ପ୍ରଶାସନ । ସେପଟେ ନିରପେକ୍ଷ ଭାବେ ତଦନ୍ତ କରି ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେବସ୍ଥଳୀ ଥିବା ବେଳେ ଧର୍ମକୁ ନିଶୁଣି ସ୍ଥାନରେ ଏହି ଆକାଶ ଗେଷ୍ଟ ହାଉସ ଗଢା ହେଲା କିପରି ? ଏହା ସ୍ଥାନ ସ୍ୱର୍ଗଦ୍ୱାରର ୧୬ ଏକର ୪୦୦ ଡେସିମିଲ୍ ଅଂଚଳ ମଧ୍ୟରେ ରହିଛି । ଏସମସ୍ତ ସ୍ଥାନରେ ଜବରଦଖଲ ହଟାଇବା ନେଇ ପଦକ୍ଷେପ ନେବା ପାଇଁ ଦାବି ଜୋର ଧରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –