ଅସହାୟଙ୍କ ସାହାରା ସାଜିଛି ସାମାଜିକ ସଙ୍ଗଠନ । ବଂଚିବାର ରାହା ଦେଇଛି ସ୍ୱପ୍ନ ଫାଉଣ୍ଡେସନ । କଟକ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାକେନ୍ଦ୍ରରେ ପ୍ରତି ରବିବାରରେ ମାଗଣାରେ ଖାଦ୍ୟ ବାଂଟୁଛି ସଂସ୍ଥା

173

କନକ ବ୍ୟୁରୋ: ଦେବାରେ ହିଁ ପ୍ରକୃତ ଆନନ୍ଦ ଥାଏ । ସେହି ଦାନ ଯଦି ମଣିଷ ପେଟକୁ ଦାନା ହୁଏ ତେବେ ତାର ମହତ୍ତ୍ୱ ଆହୁରି ବଢିଯାଏ । ସମାଜର କିଛି ଦୁର୍ବଳ ଏବଂ ଗରୀବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଖାଦ୍ୟ ଦେଇ ଏବେ ଉଦାହରଣ ସାଜିଛି କଟକର ସ୍ୱପ୍ନ ଫାଉଣ୍ଡେସନ ।

ସାହାରା ସାଜିଛି ସାମାଜିକ ସଙ୍ଗଠନ । ବଂଚିବାର ରାହା ଦେଇଛି ସ୍ୱପ୍ନ ଫାଉଣ୍ଡେସନ । କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲକୁ ଆସୁଥିବା ଗରିବ ଏବଂ ଅସହାୟ ଲୋକଙ୍କୁ ସବୁ ରବିବାର ମାଗଣାରେ ଖାଦ୍ୟ ଦେଇ ଆସୁଛି ଏହି ସଙ୍ଗଠନ । ରବିବାର ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଖାଦ୍ୟ ପାଇଁ ସଙ୍ଘର୍ଷ କରୁଥିବା ରୋଗୀଙ୍କୁ ଖାଦ୍ୟ ଦେଉଛି ସ୍ୱପ୍ନ ଫାଉଣ୍ଡେସନ । ସଙ୍ଗଠନର ୩୦ରୁ ଅଧିକ ଯୁବକ ଏବଂ ଯୁବତୀ ନିଜେ ଖାଦ୍ୟ ପ୍ରସ୍ତୁତିରେ ସହଯୋଗ କରିବା ସହ ମେଡିକାଲରେ ଲୋକଙ୍କୁ ବାଂଟିଥାନ୍ତି । ସୁସ୍ୱାଦୁ ଏବଂ ପୁଷ୍ଟିକର ଭାତ ଡାଲମା ଖାଇ ଲୋକଙ୍କ ଆବଶ୍ୟକତା ମେଂଟୁଥିବା ବେଳେ ସ୍ୱପ୍ନ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ।

ଗରିବ ଏବଂ ଅସହାୟ ଲୋକଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ୨୦୧୮ରେ ଆରମ୍ଭ ହୋଇଥିଲା ଏହି ସାମାଜିକ ସଙ୍ଗଠନ । ୧୦ ଜଣ ସଦସ୍ୟରୁ ଆରମ୍ଭ ହୋଇ ଥିବା ସ୍ୱପ୍ନ ଫାଉଣ୍ଡେସନରେ ଏବେ ଅଛନ୍ତି ୨୪୦ରେ ସଦସ୍ୟ । ପ୍ରତି ସପ୍ତାହରେ ୧୦୦୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୁଏ । ଏଥିପାଇଁ ୧୬ରୁ ୧୮ ହଜାର ଟଙ୍କା ଖର୍ଚ୍ଚ ହୁଏ । ସଙ୍ଗଠନର ସଦସ୍ୟ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଗରିବ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୁଏ । କେବଳ ରୋଗୀ ଓ ରୋଗୀ ସଂପର୍କୀୟଙ୍କୁ ଖାଦ୍ୟ ବାଣ୍ଟିବା ନୁହେଁ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ କରୁଛି ସ୍ୱପ୍ନ ଫାଉଣ୍ଡେସନ ।