କଂଗ୍ରେସରେ ସାମିଲ ହେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପୁଅ । ରାଏବରେଲୀରେ କଂଗ୍ରେସକୁ ମିଳିପାରେ ମୌର୍ଯ୍ୟ ସଂପ୍ରଦାୟ ଭୋଟ

827

କନକ ବ୍ୟୁରୋ : ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପୁଅ ଉକ୍ରୁଷ୍ଟ ମୌର୍ଯ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ କରିଛନ୍ତି । ବିଧାୟକ ମନୋଜ ପାଣ୍ଡେ ବିଜେପିରେ ସାମିଲ ହେବା ପରେ ଉକ୍ରୁଷ୍ଟ କଂଗ୍ରେସରେ ସାମିଲ ହୋଇଛନ୍ତି । ଉକ୍ରୁଷ୍ଟ ଉଚ୍ଚାହାର ବିଧାନସଭା କ୍ଷେତ୍ରରୁ ମନୋଜ ପାଣ୍ଡେଙ୍କ ବିରୋଧରେ ବିଧାନସଭା ନିର୍ବାଚନ ଲଢିଥିଲେ । ଏଚ୍ଚୁ ମନୋଜ ପାଣ୍ଡେଙ୍କୁ ଘେରିବାକୁ କଂଗ୍ରେସ ଏହି ରଣନୀତି ପ୍ରସ୍ତୁତ କରିଥିବା ଅନୁମାନ କରାଯାଉଛି ।

ସମାଜବାଦୀ ପାର୍ଟିର ବିଧାୟକ ମନୋଜ ପାଣ୍ଡେ ଶୁକ୍ରବାର ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ । ଏଥିରୁ କଂଗ୍ରେସର କ୍ଷତି ହେବ ବୋଲି ଅନୁମାନ କରାଯାଇଥିଲା । ରାଏବରେଲୀରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବଚନ ଲଢୁଥିବାରୁ ପ୍ରିୟଙ୍କା ଗାନ୍ଧୀ ଉଭୟ ରାଏବରେଲୀ ଓ ଆମେଠୀରେ ଲଗାତର କ୍ୟାମ୍ପ କରୁଛନ୍ତି । ପ୍ରତିଦିନ ଏହି ଦୁଇ ସଂସଦୀୟ କ୍ଷେତ୍ରରେ ସଭା କରି ବିଜେପିକୁ ଟାର୍ଗେଟ୍ କରୁଛନ୍ତି ।

ରାଏବରେଲୀ ଓ ଆମେଠିରେ ମେ’ ୨୦ ତାରିଖରେ ମତଦାନ ହେବ । ଆମେଠି ଆସନରୁ ଗାନ୍ଧୀ ପରିବାରର ନିକଟତର କୁହାଯାଉଥିବା କିଶୋରୀ ଲାଲ୍ ଶର୍ମାଙ୍କୁ କଂଗ୍ରେସ ଟିକେଟ ଦେଇଛି । କିଶୋରୀଙ୍କ ପାଇଁ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ପ୍ରଚାର କରିଥିଲେ । ରାଜନୈତିକ ବିଶ୍ଳେଷକଙ୍କ ଆକଳନ ମୁତାବକ ରାଏବରେଲୀରେ କଂଗ୍ରେସର ସହଜ ବିଜୟ ହେବ, ହେଲେ ଆମେଠି ଆସନକୁ ନେଇ ଶଂସୟ ରହିଛି ।