କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଭୋଟ ଗଣତି ଭିତରେ ଟ୍ରେଣ୍ଡରେ ବିଜେପି ମ୍ୟାଜିକ ନମ୍ବର ଠାରୁ ଯଥେଷ୍ଟ ଅଧିକ ଆସନରେ ଆଗୁଆ ରହିଛି । ଏହି ଆସନ ମଧ୍ୟରୁ ଅନେକ ଆସନରେ ବିଜେପି ବିଜୟୀ ମଧ୍ୟ ହୋଇ ସାରିଲାଣି । ଯଦି ଏହି ଟ୍ରେଣ୍ଡ ଶେଷ ପର୍ଯ୍ୟନ୍ତ ଜାରି ରୁହେ ତେବେ ବିଜେପି ପୁଣିଥରେ ଉତ୍ତରପ୍ରଦେଶରେ ସରକାର ଗଢିବ । ତେବେ ଉତ୍ତରପ୍ରଦେଶରେ ବିଜେପି ଆଶାତୀତ ସଫଳତା ପାଇଥିବା ବେଳେ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ବଡ ଝଟକା ଲାଗିଛି ।

Advertisment

ଯୋଗୀଙ୍କ ହାତ ଛାଡି ଅଖିଳେଶଙ୍କ ହାତ ଧରିଥିବା ସ୍ୱାମୀ ପ୍ରସାଦ ଚଳିତ ନିର୍ବାଚନରେ ପରାଜିତ ହୋଇଛନ୍ତି । ଫାଜିଲନଗର ଆସନରୁ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ଏହି ଆସନରେ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର କୁଶୱାହା ପ୍ରାୟ ୨୫ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପରାଜିତ ହେବା ପରେ ତାଙ୍କର ଏକ ପୁରୁଣା ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ବିଜେପି ଛାଡିବା ବେଳେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜକୁ ନେଉଳ କହିଥିବା ବେଳେ ବିଜେପିକୁ ସାପ ଓ ଆରଏସଏସକୁ ନାଗ ରୂପେ ତୁଳନା କରିଥିଲେ । ଏପରିକି ସ୍ୱାମୀ ରୂପି ନେଉଳ ଉତ୍ତରପ୍ରଦେଶରେ ବିଜେପି ରୂପକ ସାପକୁ ଶେଷ କରିବା ପରେ ନିଶ୍ୱାସ ନେବ ବୋଲି କହିଥିଲେ । କିନ୍ତୁ ସ୍ୱାମୀ ପରାଜିତ ହେବା ପରେ ଏହି ଭିଡ଼ିଓକୁ ନେଇ ଟ୍ରୋଲ କରୁଛନ୍ତି ୟୁଜର୍ସ ।

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଗତ ଜାନୁଆରୀ ୧୧ ତାରିଖରେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ପଦ୍ମ ଦଳକୁ ବାଏ ବାଏ କରିଥିଲେ । କିନ୍ତୁ ବିଜେପି ଛାଡିବା ଯେ ଏତେ ମହଙ୍ଗା ପଡିବ ତାହାର ଆକଳନ ସୁଦ୍ଧା କରିପାରିନଥିଲେ ସ୍ୱାମୀ ।