ବରିଷ୍ଠ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ: ୮୦ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ; ସରକାରଙ୍କ ପକ୍ଷରୁ ନକ୍ସଲମାନଙ୍କ ସହ କଥାବର୍ତା କରି ଚର୍ଚ୍ଚାକୁ ଆସିଥିଲେ ଆର୍ଯ୍ୟସମାଜ ନେତା ଅଗ୍ନିବେଶ
କନକ ବ୍ୟୁରୋ: ବରିଷ୍ଠ ଆର୍ଯ୍ୟ ସମାଜ ନେତା ସାମାଜିକ କର୍ମୀ ସ୍ବାମୀ ଅଗ୍ନିବେଶଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ। ଗତ ମଙ୍ଗଳବାରଠାରୁ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ମାତ୍ର ଗତକାଲି ସନ୍ଧ୍ୟାରେ ହୃଦ୍ଘାତ ହୋଇଥିଲା। ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିବାରୁ ତାଙ୍କର ପରଲୋକ ହୋଇଛି ବୋଲି ନୂଆଦିଲ୍ଲୀର ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବାଇଲାରି ସାଇନ୍ସ’ ପକ୍ଷରୁ ପ୍ରକାଶ କରାଯାଇଛି।
ତାଙ୍କ ପାର୍ଥିବ ଶରୀରକୁ ନୂଆଦିଲ୍ଲୀସ୍ଥିତ ୭ ଜନ୍ତର ମନ୍ତର ରୋଡ୍ସ୍ଥିତ ବନ୍ଧୁଆ ମୁକ୍ତିମୋର୍ଚା ଅଫିସ୍ ପରିସରରେ ଆଜି ସକାଳ ୧୧ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ। ଏହି ସମୟରେ ସମସ୍ତ ପ୍ରକାର କୋଭିଡ୍ ନିୟମ ମାନି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇପାରିବ ବୋଲି ବନ୍ଧୁଆ ମୁକ୍ତିମୋର୍ଚାର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଫେସର ବିଠଲ୍ ରାଓ ଆର୍ଯ୍ୟ ସୂଚନା ଦେଇଛନ୍ତି। ଅପରାହ୍ଣ ୪ଟାରେ ଗୁରୁଗ୍ରାମର ବହଳପାସ୍ଥିତ ଅଗ୍ନିଲୋକ ଆଶ୍ରମ ପରିସରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
Comments are closed.