କନକ ବ୍ୟୁରୋ : ରାଜ୍ୟରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ରାଜ୍ୟରେ କରୋନା ପ୍ରଭାବିତ ଅଞ୍ଚଳରୁ ଆସିଥିବା ବ୍ୟକ୍ତିଙ୍କ ସ୍କ୍ରିନିଂ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ୧୦୦ ଛୁଇଁଛି। ସୂଚନା ଅନୁସାରେ, କଟକ ଅଞ୍ଚଳର ଜଣେ ବ୍ୟକ୍ତି ସ୍ବାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି।
ଏହାକୁ ମିଶାଇ ରାଜ୍ୟରେ ଚଳିତ ବର୍ଷ ସ୍ବାଇନ୍ ଫ୍ଲୁ ସଂକ୍ରମିତଙ୍କ ସଂଖ୍ୟା ୧୪ ଛୁଇଁଛି। ଗତ ୨୦ଦିନ ଭିତରେ ରାଜ୍ୟରେ ୧୪ ଜଣ ଚିହ୍ନଟ ହୋଇ ସାରିଲେଣି। ଅପରପକ୍ଷରେ ରାଜ୍ୟରେ କରୋନା ପ୍ରଭାବିତ ଦେଶରୁ ଓଡ଼ିଶାକୁ ଫେରିଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ସମୁଦାୟ ୬୫ଜଣ ଘରେ ଆଇସୋଲେସନ୍ରେ ରହିଥିଲେ। ସେମାନଙ୍କ ମଧ୍ୟରୁ ୩୨ଜଣ ବିପଦ ମୁକ୍ତ ଥିବା ଜଣାପଡ଼ିଛି। ମାତ୍ର ୩ଜଣ ହସ୍ପିଟାଲରେ ଆଡମିଟ୍ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସ୍ବାଇନ୍ ଫ୍ଲୁକୁ ମହାମାରୀମୁକ୍ତ ବୋଲି ଘୋଷଣା କରିସାରିଛି। ଏବେ ଏଚ୍୧ଏନ୍୧କୁ ସାଧାରଣ ଜ୍ବର ଭାବେ ବିବେଚନା କରାଯାଉଛି। ତେଣୁ ସ୍ବାଇନ୍ ଫ୍ଲୁକୁ ନେଇ ଭୟ କରିବାର ନାହିଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।