ହାରିଗଲା କ୍ୟାନସର, ଜିତିଗଲେ ସ୍ୱାଗତିକା । ମୃତ୍ୟୁକୁ ମାତ୍ ଦେଇ କର୍କଟ କୋଳରୁ ଫେରିବା ପରେ ସାହସ ବାଣ୍ଟୁଛନ୍ତି କଟକର ଝିଅ । ମୁଁ ଜିତିଛି, ଆପଣ ବି ଜିତିବେ…

261

କନକ ବ୍ୟୁରୋ: ମଣିଷ ଜିତିବ, କ୍ୟାନ୍ସର ହାରିବ । ମୁଁ ଜିତିଛି, ତମେ ବି ଜିତିବ… ଡରିଗଲେ ସରିଯିବ ଆୟୁଷ, ହାରିଗଲେ ମରିଯିବ ମଣିଷ । କ୍ୟାନସର ହେଲା ତ କଣ ହେଲା ଦୃଢ ଆତ୍ମବିଶ୍ୱାସ, ଶକ୍ତ ମନୋବଳ ନେଇ ରୋଗ ସହ ଲଢେଇ କଲେ ଦିନେ ନା ଦିନେ ଜୀବନ ଯୁଦ୍ଧରେ ଜିତିଯିବ ମଣିଷ । ଆଉ ମୃତ୍ୟୁ ଉପରେ ବିଜୟ ଲାଭ କରିବ ଜୀବନ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସ୍ୱାଗତିକା । ଯିଏ କର୍କଟକୁ ଡରି ନଥିଲେ ବରଂ ତାକୁ ଡରାଇ କ୍ୟାନ୍ସର କୋଳରୁ ନିଜ ଜୀବନକୁ ନିଜ ଛଡାଇ ଆଣିଲେ । ଆଉ ମାରାତ୍ମକ ରୋଗର ମୈଦାନରେ ମୃତ୍ୟୁକୁ ମାତ ଦେବା ପରେ ଏବେ ଜୀବନର ମନ୍ତ୍ର ବାଣ୍ଟି ଚାଲିଛନ୍ତି ସେ ।

କଟକ ବିଡାନାସୀର ସ୍ୱାଗତିକା ଆଚାର୍ଯ୍ୟ । ବୟସ ୨୩ ବର୍ଷ । ଆଇନର ଛାତ୍ରୀ ଭାବେ କ୍ୟାରିୟର ଆରମ୍ଭ କରିଥିବା ବେଳେ କ୍ୟାନ୍ସର ପୀଡିତଙ୍କ ପାଇଁ କାମ କରିବାକୁ ପଣ କରିଛନ୍ତି । ୨୦୧୭ରେ ଯେତେବେଳେ ସ୍ୱାଗତିକାଙ୍କ କ୍ୟାନ୍ସର ରିପୋର୍ଟ ଆସିଥିଲା ସେତେବେଳେ ମାରାତ୍ମକ ରୋଗ କଥା ଶୁଣି ଡରିଯାଇ ନଥିଲେ କି ଜୀବନକୁ ନେଇ ହାରିଯାଇ ନଥିଲେ । ବରଂ ଭାଙ୍ଗି ନପଡି ଆୟୁଷ ବଢାଇବାକୁ ଆଶାକୁ ଆୟୁଧ କରିଥିଲେ । ଆଉ କ୍ୟାନସରକୁ ନାଲି ଆଖି ଦେଖାଇ ପ୍ରତି ମୁହୂର୍ତ୍ତରେ ରୋଗର ଫଟୋ ଉଠାଉଥିଲେ । ଶେଷରେ ହସି ହସି କ୍ୟାନସରକୁ ହରାଇଥିଲେ ନାରୀଯୋଦ୍ଧା ।

ଜୀବନକୁ ନେଇ ସ୍ୱାଗତିକା ଯେତିକି ଆଶାବାଦୀ ସେତିକି ସକରାତ୍ମକ । ଜୀବନରେ କେତେ ହାରିବାକୁ ଭଲ ପାଉନଥିବା ଝିଅ କ୍ୟାନସରକୁ ହରାଇବା ପରେ ଲୋକଙ୍କ ମନରେ ପଜିଟିଭି ଭାବନା ଭରିବାରେ ଲାଗି ପଡିଛନ୍ତି । କ୍ୟାନସର ହେଲେ ମୃତ୍ୟୁ ସୁନିଶ୍ଚିତ ଏ କଥା ମନରୁ କାଢି ନୂଆ ଜୀବନର ସୂର୍ଯ୍ୟୋଦୟ ପାଇଁ ଭିତରେ ବିଶ୍ୱାସର ବସା ବାନ୍ଧିବା ଉଚିତ । ତେଣୁ କ୍ୟାନସର ପିଡୀତ ରୋଗୀଙ୍କ ପାଇଁ ଏକ ସଙ୍ଗଠନ କରି ସତେଚନ କରିବାରେ ନିଜକୁ ବ୍ୟକ୍ତ ରଖିଛନ୍ତି ସ୍ୱାଗତିକା । ତାଙ୍କର ଗୋଟିଏ ନାରା, କ୍ୟାନସରରୁ ମୁଁ ଜିତିଛି, ଆପଣ ବି ଜିତିବେ…

ସ୍ୱାଗତିକା ଜଣେ ଭଲ ଓଡିଶୀ ନୃତ୍ୟଶିଳ୍ପୀ । ଓଡିଶୀକୁ ନେଇ ଅନେକ ସ୍ୱପ୍ନ ଦେଖିଥିବା ସ୍ୱାଗତିକା କ୍ୟାନସର ପରେ ବି ନିଜ ଅଭ୍ୟାସ ଜାରି ରଖିଛନ୍ତି ଆଉ ସ୍ୱପ୍ନ ପଥରେ ଆଗେଇ ଚାଲିଛନ୍ତି । ଡ୍ୟାନ୍ସ ସହ ସେ ବି ଜଣେ ସ୍କୁବା ଡାଇଭର । ଜୀବନର ଗାଡିକୁ ସେ କେମିତି ପଜିଟିଭ ଟ୍ରାକରେ ଚଲାଉଛନ୍ତି ତାହା ତାଙ୍କ ଫେସବୁକର ଏ ସବୁ ପୋଷ୍ଟ ହିଁ ବୟାନ କରୁଛି ।

ଭିତରର ଆତ୍ମବିଶ୍ୱାସ ପାଇଁ ସେ ଖାଲି ମୃତ୍ୟୁକୁ ଜିତି ନାହାନ୍ତି ବରଂ ଜୀବନ ପାଇଁ ଛଟପଟ ହେଉଥିବା ରୋଗୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଯେଉଁଥିପାଇଁ ତାଙ୍କୁ ଅନେକ ସଙ୍ଗଠନ ପକ୍ଷରୁ ସମ୍ମାନିତ ବି କରାଯାଇଛି । ସତରେ ସକରାତ୍ମକ ଶକ୍ତି ହିଁ ସବୁ ପରିସ୍ଥିତିରେ ପରାକ୍ରମୀ କରେ… ସ୍ୱାଗତିକା ହିଁ ପ୍ରେରଣାର ପ୍ରତୀକ ।