ସ୍ୱଚ୍ଛ ଭାରତ ମିଶନ-୨ ର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ମୋଦୀ । ସବୁ ସହରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ

194

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ ୨.୦ ଅଭିଯାନର ଶୁଭାରମ୍ଭ କରିଛନ୍ତି । ସ୍ୱଚ୍ଛ ଭାରତ ମିଶନ ପ୍ରଥମ ଭାଗ ଅଭିଯାନରେ ଗ୍ରାମାଞ୍ଚଳ ସ୍ୱଚ୍ଛତା ଉପରେ ଗୁରୁ୍ତ୍ୱ ଦିଆଯାଇଥିବାବେଳେ ସ୍ୱଚ୍ଛତା ମିଶନ ୨.୦ରେ ସହରାଞ୍ଚଳ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଇଛି । ପ୍ରତ୍ୟେକ ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ସହର ଗୁଡିକ ପ୍ରଦୂଷଣ ମୁକ୍ତ ଏହି ମିଶନର ପ୍ରଥମ ଲକ୍ଷ୍ୟ ରହିଛି ବୋଲି ନିଜ ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୋଜନାରେ ପାଖାପାଖି ୧୦କୋଟି ୫୦ ଲକ୍ଷ ଲୋକ ଉପକୃତ ହେବେ ଓ ଏହି ଯୋଜନା ପାଇଁ ୨ ଦଶମିକ ୦୮୭ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନିଜ ସମ୍ବୋଧନରେ ସଫେଇ କର୍ମୀଙ୍କୁ ପ୍ରଂଶସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱଚ୍ଛତା ମିଶନ ଅଭିଯାନର ପ୍ରକୃତ ମହାନାୟକ ସଫେଇକର୍ମୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସ୍ବଚ୍ଛ ଭାରତ ଅଭିଯାନର ଦ୍ବିତୀୟ ପର୍ଯ୍ୟାୟ-‘ଅର୍ବାନ୍‌ ୨.୦’ ଓ ‘ଅମୃତ ୨.୦’ ମଧ୍ୟ ବି.ଆର୍‌. ଅମ୍ବେଦକରଙ୍କ ସ୍ବପ୍ନ ସାକାର କରିବାରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ‘ବି.ଆର୍‌. ଅମ୍ବେଦକର ସେଣ୍ଟର୍‌’ରେ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଅତ୍ୟନ୍ତ ସୌଭାଗ୍ୟର ବିଷୟ । ସମାନତା ପାଇଁ ନଗରାଞ୍ଚଳ ବିକାଶ ଗୁରୁତ୍ବପୂର୍ଣ୍ଣ ବୋଲି ତାଙ୍କର ଧାରଣା ଥିଲା । ଏବେ ଆଉ ଟଫି ଜରି ତଳେ ନ ଫୋପଡ଼ା ହୋଇ ପକେଟ୍‌ରେ ରଖାଯାଉଛି । ଆବର୍ଜନା ପକାଇ ଚାରିଆଡ଼ ଅପରିଷ୍କାର ନ କରିବା ପାଇଁ ପିଲାମାନେ ବୟସ୍କମାନଙ୍କୁ ସତର୍କ କରାଇ ଦେଉଛନ୍ତି। ଯୁବବର୍ଗ ବି ଉଦ୍ୟମ କରୁଛନ୍ତି । କେତେକ ଆବର୍ଜନାରୁ ଧନ ଉପାର୍ଜନ କରୁଥିବା ବେଳେ କେତେକ ସଚେତନତା ସୃଷ୍ଟି କରୁଛନ୍ତି। ସଚେତନତା ଥିବାରୁ ଶୁଷ୍କ ଏବଂ ଆର୍ଦ୍ର ଆବର୍ଜନାର ପୃଥକିକରଣ ହୋଇ ପାରିଛି ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଲେ, କେବଳ ଲକ୍ଷ ଲକ୍ଷ ଶୌଚାଳୟ କିଂବା ଆବର୍ଜନା ପ୍ରକ୍ରିୟାକରଣକୁ ୭୦%କୁ ଆଣିବା ଯୋଗୁଁ ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରକଳ୍ପକୁ ‘ଜନ ଆନ୍ଦୋଳନ’ କରିଥିବାରୁ ‘ସ୍ବଚ୍ଛ ଭାରତ ମିସନ୍’ ସଫଳ ହୋଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଲିଜ୍ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଅନୁସାରେ ‘ଏସ୍‌ବିଏମ୍‌-ୟୁ ୨.୦’ ଏବଂ ‘ଅମୃତ ୨.୦’ ପ୍ରସ୍ତୁତ କରାଯାଇଛି। ସମସ୍ତ ସହରକୁ ଆବର୍ଜନା ମୁକ୍ତ ଏବଂ ଜଳ ଉପଲବ୍ଧ କରାଇବା ନିମନ୍ତେ ଥିବା ଆକାଙ୍‌କ୍ଷାକୁ ଉପରୋକ୍ତ ଯୋଜନା ସାକାର କରିବ । ଏଥିପାଇଁ ୧.୪୧ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଦେଶରେ ଦ୍ରୁତ ବେଗରେ ନଗରିକରଣ ହୋଇ ଚାଲିଥିବା ସମସ୍ୟାଗୁଡ଼ିକର ସଫଳ ମୁକାବିଲା ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ଅଭିଯାନ ଆଉ ଏକ ପାଦ ଅଗ୍ରସର ହେବାର ନିଦର୍ଶନ। ଏହା ମଧ୍ୟ ‘ସସ୍‌ଟେନେବଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଗୋଲ୍‌ ୨୦୩୦’ ପ୍ରକଳ୍ପରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲରେ ସହାୟକ ହେବ ।