ବାହ୍ୟ ମଳମୁକ୍ତ ଅଂଚଳ ହୋଇ ପାରିନି ମାଲକାନଗିରି । ଜିଲ୍ଲାପାଳଙ୍କ ଅଫିସ ଆଗ ଓ ପଛରେ ମଳତ୍ୟାଗ କରୁଛନ୍ତି ଲୋକେ, ତାଲା ପଡିଛି ସମସ୍ତ ୧୮ ସରକାରୀ ଶୌଚାଳୟ ।

121

କନକ ବ୍ୟୁରୋ : ଆଜିଠୁ ଦେଶରେ ଆରମ୍ଭ ହେଉଛି ସ୍ୱଚ୍ଛତା ସର୍ଭେକ୍ଷଣ ୨୦୨୦ । ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଜୋରଦାର ହୋଇଥିଲା ସ୍ୱଚ୍ଛ ଭାରତ ଅଭିଯାନ । ଗାଁ ଗଣ୍ଡା ସହର, ସବୁ କିଛି ପରିଷ୍କାର ରଖିବା ଲାଗି ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହେଲା । ସରକାରୀ ଅନୁଦାନ ବି ଆସିଲା । କୋଟି କୋଟି ଟଙ୍କା ଖର୍ଚ୍ଚରେ ମାଲାକନଗିରି ଜିଲ୍ଲା ପୌର ପରିଷଦକୁ ବାହ୍ୟ ମଳମୁକ୍ତ ପୌରାଂଚଳ ଭାବେ ଘୋଷଣା କରାଗଲା । ହେଲେ ଏହା କେବଳ କାଗଜ କଲମରେ କହିଲେ ଚଳେ । ସହରରେ ଶୌଚାଳୟ ଅଛି କିନ୍ତୁ ସେଥିରେ ତାଲା ଝୁଲୁଛି । ତେଣୁ ଆଜି ବି ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି ।

ଗୋଷ୍ଠୀ ଶୌଚାଳୟରେ ଝୁଲୁଛି ତାଲା । ଖୋଲା ଶୌଚାଳୟ ପାଲଟିଛି ମାଲକାନଗିରି ପୌରାଂଚଳ । ବାହ୍ୟ ମଳମୁକ୍ତ ପୌରାଂଚଳ ଘୋଷଣା କରି ବାହା ବାହା ଲୁଟିଲା ମାଲକାନଗିରି ପୌର ପରିଷଦ । ଶପଥ ପାଠ କରାଇଲେ ବଡ ବଡିଆ ଅଧିକାରୀ । ଏଘଟଣା ଗତ କିଛି ମାସ ପୂର୍ବର । ଜାନୁଆରି ୪ ତାରିଖରୁ ସର୍ବ ଭାରତୀୟ ସ୍ଥରରେ ସ୍ୱଚ୍ଛ ଭାରତ ସର୍ଭେକ୍ଷଣ କାମ ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ହେଲେ ମାଲକାନଗିରି ପୌରାଂଚଳ ବାହ୍ୟ ମଳମୁକ୍ତ ନୁହେଁ ବରଂ ଖୋଲାରେ ଶୌଚ ଯୁକ୍ତ ପୌରାଂଚଳ ପାଲଟିଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଓ ପଛପଟ ପାଲଟିଛି ସହରବାସୀଙ୍କ ଖୋଲା ଶୌଚାଳୟ । ରାଜରାସ୍ତା କଥା ନ କହିବା ଭଲ । କାରଣ ସହରବାସୀଙ୍କ ପାଇଁ ସବୁ ୱାର୍ଡରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟରେ ତାଲା ଝୁଲୁଛି । ବର୍ଷେ ତଳୁ ନିର୍ମାଣ ହୋଇଥିବା ଶୌଚାଳୟକୁ ଆଜି ଯାଏଁ ଜଳ ଯୋଗାଣର ବ୍ୟବସ୍ଥା ହୋଇନଥିବାରୁ ବାହାରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ ।

ସ୍ୱଚ୍ଛ ଭାରତ ଅଭିଯାନରେ ୨୦୧୯ ଅକ୍ଟୋବର ସୁଧା ମାଲକାନଗିରି ପୌରାଂଚଳରେ ୧୫୦୦ଟି ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲା । ନିର୍ମାଣ ହୋଇଛି ମାତ୍ର ୭୦୦ଟି ଶୌଚାଳୟ । ପୁରା ପୌରାଂଚଳକୁ ବାହ୍ୟ ମଳମୁକ୍ତ କରିବା ପାଇଁ ପ୍ରତି ୫୦୦ ମିଟର ପରିସରରେ ୧୮ଟି ଗୋଷ୍ଠୀ ଶୌଚାଳୟ କରିବାକୁ ବ୍ୟବସ୍ଥା କରାଯାଇଛି । ତେବେ ମାଲକାନଗିରିରେ ଏବେ ସୁଦ୍ଧା ଯେତିକି ବି ଶୌଚାଳୟ ତିଆରି ହୋଇଛି ତା ବି ଲୋକଙ୍କ କାମରେ ଆସୁନି । ସାରା ଦେଶରେ ସ୍ୱଚ୍ଛ ଭାରତ ମିଶନ ଏବେ ଏକ ପ୍ରକାର ଆନ୍ଦୋଳନର ରୁପ ନେଇଛି । ମାଲକାନଗିରି ପୌର ପରିଷଦ କିନ୍ତୁ ଲୋକଙ୍କୁ ଭୁଆଁ ବୁଲାଇ କେବଳ କାଗଜ କଲମରେ ବାହ୍ୟ ମଳମୁକ୍ତ ପୌରାଂଚଳ ଘୋଷଣା କରି ହଟହଟା ହୋଇଛି ।