କନକ ବ୍ୟୁରୋ : ଆଜି ବହୁ ଚର୍ଚ୍ଚିତ ସ୍ୱାଭିମାନ ଅଂଚଳରେ ଭୋଟ ପଡ଼ୁଛି । ଦଶ ବର୍ଷ ପରେ ଲାଲଗଡରେ ହେଉଛି ନିର୍ବାଚନ । ଏଥିପାଇଁ ସ୍ୱାଭିମାନ ଅଂଚଳବାସୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଲାଗି ରହି ଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅତି ସମ୍ବେଦନଶୀଳ ବୁଥ ଗୁଡିକୁ କଡା ସୁରକ୍ଷା ବଳୟରେ ରଖା ଯାଇଛି । ନିବାଚନ ପୂର୍ବରୁ ଯେପରି କେହି ଗାଁରେ ଅନ୍ଧାରି ବିଜେ ନକରନ୍ତି, ସେଥିପାଇଁ ଗାଁ ମୁଣ୍ଡରେ ଜଗି ରହିଛନ୍ତି ସ୍ୱାଭିମାନ ଅଂଚଳର ସଚେତନ ଭୋଟର ।

Advertisment

ଚିତ୍ରକୋଣ୍ଡା ବ୍ଲକର ୨ଟି ଜୋନ୍‌ରେ ନିର୍ବାଚନ ହେଉଥିଲେ ହେଁ ଜୋନ୍‌-୨ ବା ସ୍ବାଭିମାନ ଅଞ୍ଚଳ ଉପରେ ସମସ୍ତଙ୍କ ନଜର ରହିଛି । ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ପୁଲିସ ଛାଉଣି କରି ଦିଆଯାଇଥିବା ବେଳେ ଅପହଞ୍ଚ ମତଦାନ କେନ୍ଦ୍ରଗୁଡ଼ିକୁ ଜଳପଥରେ ପୁଲିଂ କର୍ମଚାରୀଙ୍କୁ ପଠାଯାଇଛି । ସେହିପରି ମତଦାତା ଓ ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀ ଯେପରି ସୁରକ୍ଷିତ ରହିବେ, ଭୋଟ୍‌ ବାକ୍ସ ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗରୁମ୍‌କୁ ଆସିବ ସେନେଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।

୨୦୧୭ ପଞ୍ଚାୟତ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ହୋଇଥିଲେ ବି ମାଓବାଦୀଙ୍କ ଧମକ ଯୋଗୁଁ ଏଠାରେ ନିର୍ବାଚନ ହୋଇନଥିଲା । କିନ୍ତୁ ଏଥର ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତରେ ୧୦୬ଟି ବୁଥ୍‌ରେ ମତଦାନ ହେବ । ୫୪ଟି ଅତିସମ୍ବେଦନଶୀଳ ବୁଥ୍‌କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।  ।