ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ସୋନିଆ ଗାନ୍ଧୀଙ୍କ ଭୂମିକାରେ ଆସୁଥିବା ଅଭିନେତ୍ରୀଙ୍କ ଭିଡିଓ । ସୋନିଆଙ୍କ ଭଳି ଭାଷଣ ଦେଉଛନ୍ତି ଜର୍ମାନ ଅଭିନେତ୍ରୀ ସୁଜେନ୍ । ଚର୍ଚ୍ଚାରେ ଚେହେରା, ଭାବଭଙ୍ଗୀ ଓ କଥାବାର୍ତା

31

କନକ ବ୍ୟୁରୋ: ସୋନିଆ ଗାନ୍ଧିଙ୍କ ଭଳି ଚେହେରା, ଭାବଭଙ୍ଗୀ, ଆଉ ତାଙ୍କ ଭଳି କଥାବାର୍ତା । ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି ସୋନିଆ ଗାନ୍ଧିଙ୍କ ଚରିତ୍ରରେ ଅଭିନୟ କରୁଥିବା ଜର୍ମାନ ଅଭିନେତ୍ରୀ ସୁଜେନ୍ ବର୍ନର୍ଟଙ୍କ ଫାଷ୍ଟ୍ ଭିଡିଓ । ଏହି ଭିଡିଓରେ ସୋନିଆଙ୍କ ଭଳି ଭାଷଣ ହେଉଛନ୍ତି ସୁଜେନ୍ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଆଧାରରେ ହେଉଥିବା ଚଳଚିତ୍ର ‘ଦ ଆକ୍ସିଡେଂଟାଲ ପ୍ରାଇମ୍ ମିନିଷ୍ଟର’ର ଏହି କ୍ଲିପ୍ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ହେଉଛି ୨୦୦୪ ମସିହାରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦେଇଥିବା ଏପରି ଏକ ବୟାନ ଯାହା ଦେଶର ରାଜନୀତିକୁ ପୂରା ବଦଳାଇ ଦେଇଥିଲା । ଏହାକୁ ଅବିକଳ ନକଲ କରୁଛନ୍ତି ଜର୍ମାନ ଅଭିନେତ୍ରୀ ସୁଜେନ ବର୍ନର୍ଟ । ସୋନିଆଙ୍କ ଭଳି ଲୁକ୍, ତାଙ୍କ ଭଳି ଡାଇଲଗ୍ କହୁଛନ୍ତି ସୁଜେନ୍ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଥିବା ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟରରେ ସୋନିଆଙ୍କ ଭୂମିକାରେ ଅଭିନୟ ସୁଜେନ କରୁଛନ୍ତି ।

ସୋନିଆ ଗାନ୍ଧିଙ୍କ ଦୁଇ ପଦ ଭାଷଣ ଭାରତୀୟ ରାଜନୈତିକ ଇତିହାସକୁ ନୂଆ ମୋଡ଼ ଦେଇଥିଲା । ଅପ୍ରତ୍ୟାଶିତ ଭାବେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଡକ୍ଟର ମନମୋହନ ସିଂହ । ସଂଜୟ ବାରୁଙ୍କ ଲିଖିତ ଆକ୍ସିଡେଂଟାଲ ପ୍ରାଇମ୍ ମିନିଷ୍ଟରକୁ ନେଇ ଫିଲ୍ମ ନିର୍ମାଣ ଚାଲିଥିବା ବେଳେ କିଛି ଦିନ ପୂର୍ବରୁ ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରୁଥିବା ଅନୁପମ ଖେରଙ୍କ ଫାଷ୍ଟ ଲୁକ୍ ଆସିଥିଲା । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

ଏବେ ସୋନିଆ ଗାନ୍ଧିଙ୍କ ଡାଇଲଗ୍ କହୁଥିବା ସୁଜେନଙ୍କ ଭିଡିଓର ମଧ୍ୟ ବେଶ୍ ଆଲେଚନା ହେଉଛି । ଫାଷ୍ଟ ଲୁକ୍କୁ ବେଶ ପସନ୍ଦ କରିଛନ୍ତି ଲୋକେ । ଅନୁପମ ଖେର ଓ ସୁଜେନ ବର୍ନର୍ଟଙ୍କ ସମେତ ଏହି ଚଳଚିତ୍ରରେ ଅଭିନୟ କରୁଛନ୍ତି ଅକ୍ଷୟ ଖାନ୍ନା ଓ ଅହାନା କୁମାରଙ୍କ ଭଳି ବଲିଉଡ୍ ଷ୍ଟାର । ଏବେ ଅପେକ୍ଷା ରହିଛି କେବେ ଆସିବ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କ ଫାଷ୍ଟ ଲୁକ୍ ।