ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ : ବିଧାୟକ ପଦରୁ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ; ବିଜେପିରେ ଶୁଭେନ୍ଦୁ ସାମିଲ ହେବା ନେଇ ଚର୍ଚ୍ଚା

246

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ମମତା ବାନାର୍ଜିଙ୍କୁ ବଡ଼ ଝଟକା ଲାଗିଛି । ପଶ୍ଚିମବଙ୍ଗ କ୍ଷମତାସୀନ ଟିଏମସିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭା ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଚନ୍ତି । ଗତ ମାସରେ ମମତା କ୍ୟାବିନେଟରୁ ମଧ୍ୟ ଇସ୍ତଫା ଦେଇଥିଲେ । ତେବେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ତେଣୁ ସେ ଟିଏମସି ସହ ଗୋଟିଏ ପରେ ଗୋଟିଏ ସମ୍ପର୍କ ଛିନ୍ନ କରିବାରେ ଲାଗିଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ଦବଦବା କେବଳ ନିଜର ନିର୍ବରଚନମଣ୍ଡଳୀ ନନ୍ଦିଗ୍ରାମରେ ନଥିଲା ବରଂ ମାଲାଦା, ମୁର୍ଶିଦାବାଦ, ପୁରଲିଆ, ବାନକୁରା ଓ ପଶ୍ଚିମ ମେଦିନାପୁରରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା ।

କାରଣ ସେ ଏଡି ସବୁ ଅଂଚଳରେ ଟିଏମସି ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ । ସେପଟେ ଶୁଭେନ୍ଦୁଙ୍କ ଇସ୍ତଫାକୁ ନେଇ ପରୋକ୍ଷ ଭାବରେ ତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯେଉଁମାନେ ଜାଣିଛନ୍ତି ତାଙ୍କୁ ଟିକେଟ ମିଳିବ ନାହିଁ ବୋଲି ସେହିମାନେ ଦଳଠୁ ଦୂରେଇ ଯାଉଛନ୍ତି ବୋଲି ମମତା ବାନାର୍ଜୀ କହିଛନ୍ତି ।