ନନ୍ଦିଗ୍ରାମ ମହାସଂଗ୍ରାମ : ନାମାଙ୍କନ ପତ୍ର ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ

205

କନକ ବ୍ୟୁରୋ : ନନ୍ଦିଗ୍ରାମରୁ ନାମାଙ୍କନ ପତ୍ର ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗ ବିଜେପିର ଏହି ବଡ ଚେହେରା ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ବିରୋଧରେ ଲଢେଇ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ଏକ ବିଶାଳ ରାଲିରେ ଆଜି ନାମାଙ୍କନ ପତ୍ର ଦାଖଲ କରିବା ସହ ଏକପ୍ରକାର ଶକ୍ତି ପ୍ରଦର୍ଶନ କରୁଛନ୍ତି ଶୁଭେନ୍ଦୁ ।

ଆଜି ନାମାଙ୍କନ ଦାଖଲ ବେଳେ ଶୁଭେନ୍ଦୁଙ୍କ ସହ ଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ । ଶୁଭେନ୍ଦୁଙ୍କ ନାମାଙ୍କନ ପାଇଁ ରାଲିରେ ଦୁଇ ଦୁଇଜଣ କେନ୍ଦ୍ରମନ୍ତ୍ରୀ ସାମିଲ ହେବା, ନନ୍ଦିଗ୍ରାମ ଆସନକୁ ବିଜେପି କେତେ ଗୁରୁତର ସହ ନେଇଛି ସେହି କଥାକୁ ହିଁ ଦର୍ଶାଉଛି । ଯଦିଓ ନନ୍ଦିଗ୍ରାମ ଶୁଭେନ୍ଦୁଙ୍କ ଗଡ । ତଥାପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପାରମ୍ପରିକ ଆସନ ଛାଡି ନନ୍ଦିଗ୍ରାମ ଆସିବା ବିଜେପି ଆଗରେ ବଡ ଆହ୍ୱାନ ସୃଷ୍ଟି କରିଛି ।

କୁହାଯାଉଛି, ନନ୍ଦିଗ୍ରାମ ଲଢେଇ ଶୁଭେନ୍ଦୁ ଅଧିକାରୀଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ ସ୍ଥିର କରିବ । କାରଣ ଏହି ଆସନରୁ ସେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ହରାଇବେ ବୋଲି ଘୋଷଣା କରିଛନ୍ତି । ନିଜକୁ ନନ୍ଦିଗ୍ରାମର ଭୂମିପୁତ୍ର ବୋଲି କହିବା ସହ ମମତାଙ୍କୁ ବାହାରୀ ନେତା କହି ରାଜନୈତିକ ଆକ୍ରମଣ କରିଆସୁଛନ୍ତି ଶୁଭେନ୍ଦୁ ଅଧିକାରୀ ।